ଭାରତର ବୈଦେଶିକ ନୀତିର ପ୍ରଶଂସା କରିବା ସହ ଆଇଏସଆଇର ମୁଖା ଖୋଲି ଦେବାକୁ ଚେତାବନୀ ଦେଲେ ଇମ୍ରାନ୍ ଖାନ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣିଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି। ଆଜି ଏକ ବିଶାଳ ରାଲିକୁ ସମ୍ବୋଧନ କରି ଇମ୍ରାନ୍ ପୁଣି ଥରେ ଭାରତର ବୈଦେଶିକ ନୀତିର ପ୍ରଶଂସା କରିବା ସହ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇକୁ ଖୋଲାଖୋଲି ଭାବରେ ଚେତାବନୀ ଦେଇଛନ୍ତି ଓ ଆଇଏସଆଇର ମୁଖା ଖୋଲି ଦେବି ବୋଲି କହିଛନ୍ତି।

ଏହି ରାଲିରେ ସେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ବାଜଓ୍ବାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ବାଜଓ୍ବାଙ୍କୁ ଇମ୍ରାନ୍ ମୀର ଜାଫର ଓ ଦେଶଦ୍ରୋହୀ ବୋଲି କହି ସମ୍ବୋଧିତ କରିଛନ୍ତି। ଏହା ସହିତ ଇମ୍ରାନ୍ କହିଛନ୍ତି ଯେ, ମୁଁ ନଓ୍ବାଜ ଶରିଫ୍‌ଙ୍କ ଭଳି ଦେଶରୁ ପଳାୟନ କରି ନାହିଁ। ମୁଁ କୌଣସି ଆଇନକୁ ଭାଙ୍ଗି ନାହିଁ କି ଭଙ୍ଗିବି ନାହିଁ। ମୁଁ ଏବେ ବି ଦେଶରେ ଅଛି ଓ ମୋ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ପାଇଁ ମୁଁ ଆଇନର ସାମନା କରିବି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍-ଇ-ଇନସାଫ୍(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ୍ ଖାନ୍‌ ଓ ପାର୍ଟି କାର୍ଯ୍ୟକର୍ତ୍ତା ଲାହୋର ଲିବର୍ଟି ଚୌକ୍‌ରୁ ଇସଲାମାବାଦ ପର୍ଯ୍ୟନ୍ତ ‘ହକିକି ଆଜାଦି ଲଙ୍ଗ ମାର୍ଚ୍ଚ’ ଆରମ୍ଭ କରିଥିଲେ। ଏହି ସମୟରେ ଇମ୍ରାନ୍ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଛନ୍ତି।

ପାକିସ୍ତାନରେ ଇମ୍ରାନ୍ ଖାନ୍ ଓ ଆର୍ମି ମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ବା, ଆଇଏସ୍ଆଇ ମୁଖ୍ୟ ନଦୀମ ଅଞ୍ଜୁମଙ୍କ ଭିତରେ ଖୋଲାଖୋଲି ବିବାଦ ଚାଲିଛି। ଇମ୍ରାନ୍ ଲଗାତାର ବାଜଓ୍ବାଙ୍କୁ ମୀର ଜାଫର ଓ ଗଦ୍ଦାର ବୋଲି କହୁଛନ୍ତି। ଇମ୍ରାନ୍ ଖାନ୍‌ ଆକ୍ରମଣର ଜବାବ୍ ଦେବା ପାଇଁ ଡାଇରେକ୍ଟର ଜେନେରାଲ ଆଇଏସ୍‌ଆଇ ଲେଫ୍ଟନାଣ୍ଟ ନଦୀମ ଅଞ୍ଜୁମଙ୍କୁ ମିଡିଆ ସାମନାକୁ ଆସିବାକୁ ପଡିଛି। ସେ ଇମ୍ରାନ୍‌ଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପାକିସ୍ତାନ ଇତିହାସରେ ପ୍ରଥମ ଥର ହୋଇଛି, ଯେବେ କୌଣସି ଆଇଏସଆଇ ଚିଫ୍‌ଙ୍କୁ ସାମନାକୁ ଆସିବାକୁ ପଡିଛି। କୁହାଯାଉଛି ଯେ, ଆଇଏସଆଇ ଚିଫ୍ ସବୁବେଳେ କ୍ୟାମେରାଠାରୁ ଦୂରେଇ ରୁହନ୍ତି।

Related Posts