ଆନ୍ଧ୍ରପ୍ରଦେଶରେ ୪୨ ଶିକ୍ଷକ ଗିରଫ ସହ ନିଲମ୍ବିତ

ଅମରାବତୀ: ବିଦ୍ୟାଳୟରେ କପି କରିବାକୁ ଅନୁମତି ଦେବା ଶିକ୍ଷକଙ୍କୁ ପଡିଲା ମହଙ୍ଗା । ଆନ୍ଧ୍ରପ୍ରଦେଶରେ ୪୨ ଶିକ୍ଷକ ଗିରଫ । ଏଥିସହ ଗିରଫ ହୋଇଥିବା ସମସ୍ତ ଶିକ୍ଷକ ନିଲମ୍ବିତ ମଧ୍ଯ ହୋଇଛନ୍ତି । ପରୀକ୍ଷା ସମୟରେ ବିଭିନ୍ନ ବିଦ୍ୟାଳୟରେ କପି କରିବାକୁ ଅନୁମତି ଦେବା ଘଟଣାରେ ଏମାନଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, କୋଭିଡ ମହାମାରୀ କୋପ କମିବା ପରେ ଆନ୍ଧ୍ରପ୍ରଦେଶରେ ଅପ୍ରେଲ ୨୭ରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଏବେ ଚାଲିଛି ।

ଏହି ଶିକ୍ଷକମାନେ କପି ଯୋଗାଇବା ଓ କପି କରିବାରେ ସହଯୋଗ କରିଥିବାରୁ ଆନ୍ଧ୍ରପ୍ରଦେଶ ଶିକ୍ଷା ବିଭାଗ ପକ୍ଷରୁ ଏମାନଙ୍କୁ ନିଲମ୍ବିତ ସହ ଗିରଫ କରାଯାଇଛି । ସେହିଭଳି ପରୀକ୍ଷା ଚାଲିଥିବାବେଳେ କୁର୍ନୁଲ୍ ଜିଲ୍ଲାରେ ତେଲୁଗୁ ଓ ହିନ୍ଦୀ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଥିଲା । ଏହା ପରେ ଶିକ୍ଷା ବିଭାଗ ପକ୍ଷରୁ ଘଟଣାକୁ ନେଇ ତଦନ୍ତ କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ୪୨ଜଣ ଶିକ୍ଷକଙ୍କୁ ଗିରଫ କରାଯାଇଛି ।

ଅନ୍ୟପଟେ କୁର୍ନୁଲ୍ ଜିଲ୍ଲାପାଳଙ୍କ ସହ ପୋଲିସ ଅଧିକାରୀ ଏହି ଘଟଣାର ତଦନ୍ତ କରି ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରୁ ଏହି ୪୨ଜଣ ଶିକ୍ଷକଙ୍କୁ ଗିରଫ କରିଛନ୍ତି । ଏମାନଙ୍କୁ ୧୯୯୭ ଆନ୍ଧ୍ରପ୍ରଦେଶ ପବ୍ଲିକ ଏଗ୍ଜାମିନେସନ୍‌ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Related Posts