ବେଙ୍ଗଲରେ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବୁ : ବିଜେପି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲର ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ଜନତା ପାର୍ଟି। ବହୁମତ ଠାରୁ ଅଧିକ ଆସନ ଜିତି ବଙ୍ଗାଳରେ ସରକାର ଗଠନ କରିବ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛି। ଦଳର ବ୍ରେନ୍ ଟ୍ରଷ୍ଟର ପ୍ରମୁଖ ସଦସ୍ୟ ତଥା ବିଜେପି ସାଧାରଣ ସମ୍ପାଦକ ଭୁପେନ୍ଦର ଯାଦବ କହିଛନ୍ତି ଯେ ,”ଆମେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବୁ ଏବଂ ପରବର୍ତ୍ତୀ ସରକାର ଗଠନ କରିବୁ।” ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଶାସକ ଟିଏମସିକୁ ସର୍ଭେରେ ବହୁମତ ମିଳୁଥିବା ନେଇ ପୂର୍ବାନୁମାନ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିକୁ ଲୋକଙ୍କ ଆଶୀର୍ବାଦ ରହିଛି ଓ ଦଳ ନିଶ୍ଚିତ ଶାସନ କ୍ଷମତାକୁ ଫେରିବ। ବିଜେପି ଆଇଟି ସେଲ୍ ମୁଖିଆ ଅମିତ୍ ମାଲବିଆ କହିଛନ୍ତି, ପଶ୍ଚିମବଙ୍ଗରେ ଦଳ ଶାସନ କ୍ଷମତାକୁ ଫେରିବ। ଟିଏମସିକୁ କିଛି ଏକ୍ଜିଟି ପୋଲରେ ମିଳୁଥିବା ବହୁମତକୁ ନେଇ ସେ କହିଛନ୍ତି, ” ଏହା ଘଟିବ ନାହିଁ । ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ଆଗାମୀ ସରକାର ଗଠନ କରିବ। ”  ଗୁରୁବାର ଦିନ ହୋଇଥିବା ଏକଜିଟ୍ ପୋଲରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ବର୍ତ୍ତମାନର ଟିଏମସି ଏବଂ ବିଜେପି ମଧ୍ୟରେ କଡା ପ୍ରତିଯୋଗିତା ହେବା ନେଇ ପୂର୍ବାନୁମାନ କରାଯାଇଛି। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ବିଜେପିକୁ 134-160 ଏବଂ ଟିଏମସି 130-156 ଆସନ ଦେଇଛି। ରିପବ୍ଲିକ୍-ସିଏନ୍ଏକ୍ସ ସର୍ଭେରେ ବିଜେପିକୁ 138-148 ଏବଂ ଟିଏମସିକୁ 128-138 ଆସନ ମିଳିବା ନେଇ ପୂର୍ବାନୁମାନ କରିଛି । ତେବେ ଟାଇମ୍ସ ନାଓ -ସି ଭୋଟର ଟିଏମସି କୁ 158 ଟି ଏବଂ ବିଜେପି କୁ 115 ଟି ଆସନ ମିଳିବା ନେଇ ପୂର୍ବାନୁମାନ କରିଛନ୍ତି। ସେହିପରି ଜନ କି ବାତ୍ ସର୍ଭେରେ ପଶ୍ଚିମବଙ୍ଗରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳିବା ନେଇ ପୂର୍ବାନୁମାନ କରି ଟିଏମସିକୁ 104-121 ଓ ବିଜେପିକୁ 162-185 ସିଟ୍ ମିଳିବା ନେଇ ପୂର୍ବାନୁମାନ କରିଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ,  2016 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିକୁ  ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା 211 ଟି ଆସନ ମିଳିଥିବା ବେଳେ ବିଜେପି ମାତ୍ର ତିନୋଟି ଆସନ ଜିତିଥିଲା।

Related Posts