ରାଜ୍ୟରେ ପୁଣି ଖୋଲିବ ପ୍ଲାଜମା କେନ୍ଦ୍ର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡ଼ିଶାରେ ପ୍ଲାଜମା ଚାହିବା ବୃଦ୍ଧି ପାଉଥିବାରୁ ୬ଟି ପ୍ଲାଜମା ବ୍ୟାଙ୍କ୍‍କୁ ପୁନଃ ଚାଲୁ କରିବା ସହିତ କରୋନାମୁକ୍ତ ଲୋକଙ୍କ ଠାରୁ ପ୍ଲାଜମା ସଂଗ୍ରହ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏବେ ମାତ୍ର ୭୫୦ ପ୍ଳାଜମା ମହଜୁଦ ରହିଛି । ଏଥି ମଧ୍ୟରୁ କଟକରେ ୩୪୧,ରାଉରକେଲାରେ ୩୧ଟି, ଭୁବନେଶ୍ୱରରେ ୧୧୨, କୋରାପୁଟରେ ୧୪୧, ବ୍ରହ୍ମପୁରରେ ୭୯,ଓ ବୁର୍ଲାରେ ୪୬ ମହଜୁଦ ଅଛି । ପ୍ଲାଜମା ଚାହିଦା ବୃଦ୍ଧି ପାଉଥିବାରୁ ପୁଲିସ ଡିଜି ଓ ଅଗ୍ନିଶମ ଡିଜିଙ୍କୁ ପ୍ଲାଜମା ଦାତାଙ୍କ ଠାରୁ ଏହା ସଂଗ୍ରହ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଗତବର୍ଷ ଭଳି ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ସମନ୍ୱୟ ରକ୍ଷାକରି ପ୍ଲାଜମାଦାନ ପାଇଁ ଆହ୍ୱାନ କରିବେ । ବହୁ ସଂଖ୍ୟାରେ ଲୋକେ ଯେଭଳି ପ୍ଲାଜମା ଦାନ କରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

ଅକ୍ସିଜେନ୍‍ ସହାୟତା ସଂକ୍ରାନ୍ତରେ ଜଣାଯାଇଛି ଯେ ଅକ୍ସିଜେନ୍‍ ସିଲିଣ୍ଡର ମହଜୁଦକୁ ଦୃଷ୍ଟିରେ ରଖି ଶଯ୍ୟା ସଂଖ୍ୟା ଚୂଡାନ୍ତ ନେଇ ପୁଲମୋନରୀ ମେଡିସିନ୍‍ ବିଭାଗୀୟ ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ବୈଷୟିକ କମିଟି ନିଷ୍ପତ୍ତି ନେବ । ଏସ୍‍ସିବି ମେଡିକାଲ କଲେଜ ହସ୍ପିଟାଲରେ ୩୨,୮୭୬ ବେଡ୍ ଥିବାବେଳେ ଏଥିରୁ ୧୬,୦୭୭ଟି ସାଧାରଣ ଏବଂ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଏବଂ ୧୬,୭୯୯ ଟି ସିସିସି ବେଡ୍ ରହିଛି ।ତେବେ  ଜାରି ହୋଇଥିବା ଏସ୍‍ଓପି ଅନୁଯାୟୀ ଠିକଣା ସମୟରେ ଅକ୍ସିଜେନ  ସିଲିଣ୍ଡର ଭର୍ତ୍ତି ନିଶ୍ଚିତ କରିବାକୁ ଦୃଢଭାବେ କୁହାଯାଇଛି । ରାଜ୍ୟରେ ଏବେ ଦୈନିକ ୪୨,୧୦ ମେଟ୍ରିକ ଟନ୍‍ ଅକ୍ସିଜେନ୍‍ ବ୍ୟବହାର ହେଉଥିବାବେଳେ ଉତ୍ପାଦନ କ୍ଷମତା ରହିଛି ୧୨୯.୬୮ ମେଟ୍ରିକ ଟନ୍‍ । ବର୍ତ୍ତମାନ ରାଜ୍ୟରେ ୩୭୫ ଟନ୍‍ ତରଳ ଡାକ୍ତରୀ ଅକ୍ସିଜେନ୍‍ ମହଜୁଦ ଥିବା ଜଣାଯାଇଛି । ଚିକିତ୍ସା ଆବଶ୍ୟକତା ମେଣ୍ଟାଇବାପାଇଁ ବରାଦ ମୁତାବକ ଅକ୍ସିଜେନ୍‍ ଉତ୍ପାଦନ ହୋଇଥାଏ ।

Related Posts