ଗୁଜରାଟରେ କୋଚିଂ ସେଣ୍ଟରରେ ୫୫୫ ପିଲା ବିନା ମାସ୍କରେ, ମାଲିକ ଗିରଫ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗୁଜୁରାଟର ରାଜକୋଟ ଜିଲ୍ଲାର ଜାସଦାନ ଟାଉନର ଏକ କୋଚିଂ ସେଣ୍ଟରରେ କୋଭିଡ୍ ଗାଇଡଲାଇନର ଖୋଲାଖୋଲି ଉଲଂଘନ କରି କୋଚିଂ ଚାଲିଥିଲା। କୋଚିଂ ସେଣ୍ଟରରେ ପାଖାପାଖି ୫୫୦ ରୁ ଅଧିକ ଛାତ୍ରଛାତ୍ରୀ ମାସ୍କ ଓ ସାମାଜିକ ଦୂରତା ନିୟମ ପାଳନ କରୁ ନଥିବା ଅଭିଯୋଗରେ କୋଚିଂ ସେଣ୍ଟର ମାଲିକଙ୍କୁ ପୋଲିସ ଗିରଫ କରିଛି। ରାଜକୋଟ୍ ଠାରୁ ପ୍ରାୟ 215 କିଲୋମିଟର ଦୂରରେ ଅବସ୍ଥିତ ଏହି କୋଚିଂ ସେଣ୍ଟର ଉପରେ ରବିବାର ଦିନ ପୋଲିସ ଚଢାଉ କରିଥିଲା। କୋଚିଂ ସେଣ୍ଟରର ମାଲିକ ୩୯ ବର୍ଷିୟ ଜୟସୁଖ ସାଙ୍ଖଲଭାଙ୍କୁ ଗିରଫ କରାଯାଇଥିଲା। ଏ ସମ୍ପର୍କରେ ରାଜକୋଟ ପୋଲିସ ଅଧୀକ୍ଷକ ବଳରାମ ମୀନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , “କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ଆଇପିସି ଏବଂ ଏପିଡେମିକ୍ ରୋଗ ଅଧିନିୟମ ଅନୁଯାୟୀ ଗିରଫ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ପିତାମାତାଙ୍କୁ ପୋଲିସ ହସ୍ତାନ୍ତର କରିଛି । ପୋଲିସର ସୂଚନାନୁସାରେ, ସାଙ୍ଖଲଭା ଜବାହର ନବୋଦୟ ବିଦ୍ୟାଳୟ ଏବଂ ବାଲାଚାଡି ସୈନିକ୍ ସ୍କୁଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ତାଲିମ ଦେବା ପାଇଁ ଏକ କୋଚିଂ ସେଣ୍ଟର ଚଳାନ୍ତି। ପୋଲିସ ସୂଚନା ପାଇ ଚଢାଉ କରି 9-10 ବର୍ଷ ବୟସର 555 ଜଣ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ନେଉଥିବାର ଦେଖିଥିଲେ । ଏହି ପିଲାମାନେ ମାସ୍କ ପିନ୍ଧୁ ନଥିଲେ କିମ୍ବା ସାମାଜିକ ଦୂରତା ନିୟମର ପାଳନ କରୁନଥିଲେ। ଗିରଫ ପୂର୍ବରୁ ସାଙ୍ଖଲଭା ଗଣମାଧ୍ୟମକୁ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ପିତାମାତାଙ୍କ ସହମତିରେ ମେ ୧୫ ରୁ ତାଙ୍କ ହଷ୍ଟେଲରେ ରହୁଛନ୍ତି। ସେ କହିଛନ୍ତି ଯେ “ସେମାନଙ୍କ ମଧ୍ୟରୁ ଅଧିକାଂଶ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ପିଲାମାନଙ୍କର ଅଭିଭାବକ ଘରକୁ ପଠାଇବା ପରିବର୍ତ୍ତେ ହଷ୍ଟେଲରେ ରଖିବାକୁ କହିଥିଲେ।” ସୂଚନାଯୋଗ୍ୟ ,ଗୁଜୁରାଟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ରୋକ୍ ଲଗାଇଛନ୍ତି ।

Related Posts