ନୂଆଦିଲ୍ଲୀ: ଗୁଜୁରାଟରେ ତାଣ୍ଡବ ରଚିଛି ମଦ ମୃତ୍ୟୁ ଘଟଣା । ବୋଟାଡରେ ବିଷାକ୍ତ ମଦ ପିଇ ୨୮ ଜଣଙ୍କର ଜୀବନ ଗଲାଣି । ତେବେ ଏହି ଘଟଣା କୁ ନେଇ ବିରୋଧୀଂକ ଟାର୍ଗେଟ ର ଶିକାର ହୋଇଛନ୍ତି ରାଜ୍ୟ ସରକାର । ଏହି ଘଟଣା ସମ୍ପର୍କରେ ଆମ୍ ଆଦମୀ ପାର୍ଟି ରାଜ୍ୟର ଭୂପେନ୍ଦ୍ର ପଟେଲ ସରକାରଙ୍କୁ ଘେରିବା ଆରମ୍ଭ କରିଛି।

ମଙ୍ଗଳବାର ଗୁଜୁରାଟରେ ପହଞ୍ଚିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିବା ବେଳେ ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ଯେ ଗତ ୧୫ବର୍ଷ ମଧ୍ୟରେ ବିଷାକ୍ତ ମଦ୍ୟପାନ କରି ୮୪୫ଜଣଙ୍କର ମୃତ୍ୟୁ ଘଟିଛି। ମଦ ନିଷେଧ ଥିବା ବେଳେ କାହାର ପୃଷ୍ଠପୋଷକତାରେ ଏତେ ବଡ଼ ନେଟୱାର୍କ ଚାଲୁଛି?

ନିଷେଧାଦେଶ ଯୋଗୁଁ ସରକାର ୧୫,୦୦୦ କୋଟି କ୍ଷତି ସହୁଛନ୍ତି। କିନ୍ତୁ ଖୋଲାଖୋଲି ଭାବେ ମଦ ବିକ୍ରି ହେଉଛି। ତେବେ ଏହି ଟଙ୍କା କାହା ପକେଟକୁ ଯାଉଛି?

ଅନ୍ୟପକ୍ଷରେ ଗୁଜରାଟର ରାଜକୋଟରେ ପହଞ୍ଚିଥିବା କେଜ୍ରିୱାଲ କହିଛନ୍ତି, ‘ଏକ ଅତ୍ୟନ୍ତ ଦୁଃଖଦ ଘଟଣା ମୋ ନଜରକୁ ଆସିଛି ଯେ ଭାବନଗରରେ ୨୫ରୁ ଅଧିକ ଲୋକ ମଦ୍ୟପାନ କରି ମୃତ୍ୟୁ ବରଣ କରିଛନ୍ତି ଏବଂ ଅନେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। କେଜ୍ରିୱାଲ ଆହୁରି ପ୍ରଶ୍ନ ଉଠାଇଛନ୍ତି ଯେ ଯଦି ଗୁଜରାଟରେ ମଦ ନିଷେଧ କରାଯାଇଛି, ତେବେ ରାଜ୍ୟରେ କିପରି ମଦ ଖୋଲାଖୋଲି ଭାବେ ବିକ୍ରି ହେଉଛି ଏବଂ ଏଥିରୁ କିଏ ଲାଭବାନ ହେଉଛି? ସେ କହିଛନ୍ତି ଯେ ଗୁଜୁରାଟରେ ଏଭଳି ଘଟଣା ଘଟିବା ପ୍ରଥମ ନୁହେଁ। ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ।