ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଝାଡ଼ଖଣ୍ଡରେ ଦୁଇ ଦୁଷ୍କର୍ମକାରୀଙ୍କୁ ଜୀବନ୍ତ ଜାଳିଦେଲେ ଗାଁ ଲୋକେ । ତେବେ ଜନୈକା ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁଇ ଜଣ ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କୁ ଧରିବା ପରେ ଉତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ନିର୍ଘାତ ମାଡ଼ ମାରିବା ପରେ ସେମାନଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ଠାରେ । ସେପଟେ ଗ୍ରାମବାସୀ ମାନେ ପିଟି ପିଟି ନିଆଁ ଲଗାଇ ଦେବା ପରେ ଜଣେ ଦୁଷ୍କର୍ମକାରୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି ବୋଲି ଗୁରୁବାର ଦିନ ପୁଲିସ କହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଅନ୍ୟପଟେ ରିପୋର୍ଟରୁ ପ୍ରକାଶ, ବୁଧବାର ରାତିରେ ସଦର ପୁଲିସ ଷ୍ଟେସନ ଅଞ୍ଚଳର ଏକ ଗ୍ରାମରେ ଏହି ଘଟଣା ଘଟିଛି।
ଆହତ ଜଣକ ଏବେ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଆରଆଇଏମଏସ)ରେ ଚିକିତ୍ସିତ ହେଉଛନ୍ତି ବୋଲି ଗୁମଲା ସବଡିଭିଜନାଲ ପୁଲିସ ଅଫିସର (ଏସଡିପିଓ) ମନୀଷ ଚନ୍ଦ୍ର ଲାଲ ଜଣମାଧ୍ୟମକୁ କହିଛନ୍ତି। ଏହି ଦୁଇ ଅଭିଯୁକ୍ତ ବୁଧବାର ଦିନ ନାବାଳିକା ଜଣକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଯେତେବେଳେ ଝିଅର ପରିବାର ସଦସ୍ୟ ଏବଂ ଅନ୍ୟ ଗ୍ରାମବାସୀ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେମାନେ ପଡ଼ୋଶୀ ଗାଁର ଅଭିଯୁକ୍ତମାନଙ୍କୁ ଯାଇ ଧରିଥିଲେ। ପରେ ସେମାନେ ଅଭିଯୁକ୍ତ ଦୁଇ ଦୁଷ୍କର୍ମକାରୀ ଯୁବକଙ୍କୁ ସେମାନଙ୍କ ଗାଁକୁ ନେଇ ଆସିବା ସହ ସେମାନଙ୍କୁ ପିଟିଥିଲେ ଏବଂ ସେମାନଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ବୋଲି ଏସଡିପିଓ ଲାଲ କହିଛନ୍ତି। ଜଣେ ଦୁଷ୍କର୍ମକାରୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ବୋଲି ସେ କହିଛନ୍ତି।





