ଝାଡଖଣ୍ଡର ଧନବାଦରେ ଭୁଶୁଡିଲା ରେଲଓ୍ବେ ନିର୍ମାଣଧୀନ ଅଣ୍ଡରପାସ: ଚାପି ହୋଇ 4 ଶ୍ରମିକଙ୍କ ମୃତ୍ୟୁ

ରାଞ୍ଚି: ଝାଡଖଣ୍ଡର ଧନବାଦରେ ଅଘଟଣ । ରେଲଓ୍ବେ ନିର୍ମାଣଧୀନ ଅଣ୍ଡରପାସ ଭୁଶୁଡି ପଡିଛି । ଗତକାଲି ରାତି ପ୍ରାୟ 9 ଟା ବେଳେ ଏହି ଅଘଟଣ ଘଟିଛି । ତେବେ ଏହି ଅଘଟଣରେ କାର୍ଯ୍ୟରେ ନିୟୋଜିତ 4 ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତି ପ୍ରାୟ 9ଟାରେ ଏହି ଅଘଟଣ ଘଟିଥିଲା । ଆଜି (ବୁଧବାର) ମାଡି ଅତଡା ତଳେ ଫସି ରହିଥିବା ସମସ୍ତ 4 ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକମାନେ ଉକ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନାକୁ ଦେଖି ରେଳବାଇ ମଧ୍ୟ ତୁରନ୍ତ ପ୍ରତ୍ୟେକ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ 20 ଲକ୍ଷ ଟଙ୍କା ଘୋଷଣା କରିଛି ।

ଗତକାଲି ରାତି ପ୍ରାୟ 9ଟାରେ ଏହି ଅଘଟଣ ସମ୍ପର୍କରେ ଜଣାପଡିବା ପରେ ରେଳବାଇ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ ସେମାନେ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିବାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ଉକ୍ତ ନିର୍ମାଣଧୀନ ଅଣ୍ଡରପାସ ଉପରେ ଏକ ମାଲବାହୀ ଟ୍ରେନ ଯିବା ଫଳରେ ମାଟି ଅତଡା ଧସିଥିବା ଅଭିଯୋଗ କରି ରେଳବାଇର ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।ଆଜି ସକାଳେ ଜେସିବି ସାହାଯ୍ୟରେ ଉକ୍ତ ସ୍ଥାନରେ ମାଟି ଅତଡା ସଫା କରିବା ସହ ଅଣ୍ଡରପାସରୁ 4 ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି । ଅସନ୍ତୁଷ୍ଟ ଗ୍ରାମବାସୀମାନେ ମୃତକଙ୍କ ପରିବାରର ସଦସ୍ୟଙ୍କୁ ସରକାରୀ ଚାକିରି ସହ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଅଡି ବସିଛନ୍ତି।

Related Posts