ଝାରପଡା ଜେଲରେ ନିଆରା ବାହାଘର, ଅଭିଯୁକ୍ତ ସହ ପୀଡ଼ିତାଙ୍କର ପଡ଼ିଲା ହାତଗଣ୍ଠି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯାହା ପାଇଁ ଦିନେ ହାତରେ ହାତକଡି ପଡିଥିଲା ଶେଷରେ ତାଙ୍କ ସହ ହିଁ ପଡ଼ିଛି ହାତଗଣ୍ଠି । ଯେଉଁ ଯୁବତୀଙ୍କ ପାଇଁ ଜେଲ ଯିବାକୁ ପଡିଥିଲା ସେଇ ଯୁବତୀଙ୍କ ସାତ ଜନମର ସାଥୀ ହେବାକୁ ଶପଥ ନେଇଛନ୍ତି । ବ୍ରାହ୍ମଣଙ୍କ ମନ୍ତ୍ରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିଚାରଧୀନ କଏଦୀ ଓ ପିଡିତା । ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଝାରପଡା ଜେଲ ପରିସରରେ । ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଶୁକ୍ରବାର ଉକ୍ତ ନାବାଳିକାକୁ ଜେଲ ଭିତରେ ହିଁ ବିବାହ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଜେଲ ପରିସରରେ ବର ବେଶରେ ସଜାଇ ହୋଇ ବିବାହ କରିଥିବା କଏଦୀ ହେଲେ ଆକାଶ ନାୟକ ଓରଫ ବଣ୍ଟି । ଆକାଶଙ୍କ ଘର ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳରେ । ୨୦୨୦ ମସିହାରେ ବଣ୍ଟି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ କ୍ରମେ ଜଟଣୀ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ । ହେଲେ ଘଟଣା କୋର୍ଟକୁ ଆସିବା ପରେ ପୋକ୍ସୋ କୋର୍ଟ ପୁରା ଘଟଣାକ୍ରମ ବିଷୟରେ ଜାଣିବାକୁ ପାଇଥିଲେ । ବିବାହର ପ୍ରତିଶୃତି ଦେଇ ବିବାହ ନକରିବାରୁ ନାବାଳିକା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହାପରେ ଆକାଶ ଗିରଫ ହୋଇଥିଲେ । ଆଉ ଦୁଇ ବର୍ଷ ପରେ ଏବେ ନାବାଳିକା ଜଣଙ୍କ ସାବାଳିକା ହୋଇ ସାରିଛନ୍ତି । ଆଉ କୋର୍ଟ ଉଭୟ ପକ୍ଷଙ୍କ ସହମତି କ୍ରମେ ଜେଲ ପରିସରରେ ବିବାହ ପାଇଁ ସ୍ଥିର କରିଥିଲେ ।

ଅଭିଯୁକ୍ତ ଓ ପୀଡ଼ିତାଙ୍କ ର ବୈଦିକ ମତେ ବିବାହ ସମ୍ପନ୍ନ ହୋଇଛି । ପୋକ୍ସୋ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶେଷରେ କଏଦୀ କାରଗାର ବିଭାଗର ଅନୁମତିକ୍ରମେ ଜେଲରେ ଏହି ନିଆରା ବାହାଘର ସମ୍ପୂର୍ଣ୍ଣ ହୋଇଛି। ଜେଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବିବାହ ବନ୍ଧନକୁ ପରିଚାଳନା କରିଥିଲେ ଝାରପଡା ଜେଲ ସୁପରିଟେଣ୍ଡେନ । ଏହି ବିବାହ ପରେ ଖୁବଶୀଘ୍ର ଅଭିଯୁକ୍ତ ଆକାଶ ଜାମିନରେ ବାହାରିବେ ବୋଲି ଜଣା ପଡ଼ିଛି । ତେବେ ଏଭଳି ନିଆରା ବାହାଘର ନୂଆ ନୁହେଁ । ପୂର୍ବରୁ କୋର୍ଟଙ୍କ ଅନୁମତି ପରେ ଅନେକାଂଶ ସମୟରେ ଏଭଳି ବାହାଘର ଦେଖିବାକୁ ମିଳିଥାଏ ।

Related Posts