ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାତ୍ର ୫ ଦିନରେ ୭୫ କିଲୋମିଟର ସଡ଼କ ନିର୍ମାଣ କରି ଗିନିଜ ୱାଲ୍ଡ ରେକର୍ଡ କଲା ଏନଏଚଆଇ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ । ତେବେ ଏନଏଚଆଇ ୧୦୫ ଘଣ୍ଟା ୩୩ ମିନିଟ୍ ଅଥବା ୫ ଦିନରୁ କମ୍ ସମୟ ମଧ୍ୟରେ ମହାରାଷ୍ଟ୍ରର ଅମରାବତୀ ଓ ଅକୋଲା ମଧ୍ୟରେ ଥିବା ୫୩ ନମ୍ବର ରାଜପଥର ୭୫ କିଲୋମିଟର ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ କରିଛି।
ସେପଟେ ଏନଏଚଆଇକୁ ଅଭିନନ୍ଦନ ଜଣାଇ ଗଡ଼କରୀ ଟୁଇଟ୍ କରିଛନ୍ତି: ଅମରାବତୀ ଓ ଅକୋଲା ମଧ୍ୟରେ ଥିବା ୫୩ ନମ୍ବର ରାଜପଥରୁ ୭୫ କିଲୋମିଟରଯାଏଁ ପିଚୁ ରାସ୍ତା ନିର୍ମାଣ କରି ‘ଗିନିଜ୍ ୱାଲର୍ଡ ରେକର୍ଡ’ କରିଥିବା ଆମ ଦକ୍ଷ ‘ଏନଏଚଏଆଇ’ ଅଧିକାରୀ ଟିମ୍, ପରାମର୍ଶଦାତା ତଥା ଜମି ଜୋଗାଣକାରୀ ‘ରାଜପଥ ଇନ୍ଫ୍ରାକନ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜଗଦୀଶ କଦମଙ୍କୁ ଅଭିନନ୍ଦନ ଜଣାଇ ଆନନ୍ଦିତ। ଏହି ଅସାଧାରଣ କୃତ୍ବିତ୍ବ ହାସଲ ନିମନ୍ତେ ଦିନରାତି ପରିଶ୍ରମ କରିଥିବା ଇଞ୍ଜିନିୟର୍ ଏବଂ ଶ୍ରମିକମାନଙ୍କୁ ବିଶେଷ ଧନ୍ୟବାଦ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





