ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଭୋଟର ତାଲିକାରୁ ୯ ଲକ୍ଷ ୮ ହଜାର ଭୋଟରଙ୍କ ନାମ କାଟିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ୨୩ ବର୍ଷ ପରେ BLO ଘରକୁ ଘର ଯାଇ ଜନଗଣନା କରୁଛନ୍ତି । ୯୫% ମ୍ୟାପିଂ ହୋଇସାରିଛି । ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଛି, କେହି କେହି ଗାଁ ଛାଡ଼ିକି ଯାଇଛନ୍ତି, ସହର ଓ ଗାଁରେ ସେମାନଙ୍କ ନାଁ ଭୋଟର ତାଲିକାରେ ରହିଛି । ସେଗୁଡ଼ିକ ସଂଗ୍ରହ ହୋଇଛି । ଯେହେତୁ ଅଧିକ ସଂଖ୍ୟକ ଅଛି ଆମେ କ୍ରସ୍ ଚେକ୍ ପାଇଁ ଚିଠି କରିଛୁ । ପୂର୍ବ ବର୍ଷ ଗୁଡିକରେ ୭ରୁ ୮ ଲକ୍ଷ କଟୁଥିଲା । ଓଡ଼ିଶାରେ ବହୁତ କମ୍ ସଂଖ୍ୟା ଅଛି । ଭୁବନେଶ୍ୱର ସହରରେ ଟିକେ ଅଧିକ ସଂଖ୍ୟା ଅଛି । ଯେଉଁ ମାନଙ୍କ ନାଁ କଟିଯାଇଛି ଭୁଲ ବଶତଃ ଫର୍ମ-୬ରେ BLO ପାଖରେ ଦେଲେ ପୁଣି ଯୋଡି ହେବ ବୋଲି କହିଛନ୍ତି । ସେପଟେ ଜାନୁଆରୀ ୧ରୁ ମାର୍ଚ୍ଚ ଶେଷ ଭିତରେ ଏତିକି କଟିଛି । ଅନ୍ୟ ରାଜ୍ୟ ଅପେକ୍ଷା କମ୍ ଓଡ଼ିଶାରେ କଟିଛି । ଦୁଇଟି ଜାଗାରେ ଥିବା ଭୋଟରଙ୍କ ସଂଖ୍ୟା ଅଧିକ କଟିଛି । ଦୁଇଟି ଜାଗାରେ ଥିଲେ ଗୋଟିଏ ଜାଗାରେ ଡିଲିଟ୍ କରିବାକୁ ଅପିଲ୍ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅନ୍ୟପଟେ ଭୋଟର ତାଲିକାରୁ ନାଁ କଟିବା ପରେ ପୁଣି ଥରେ ଯାଞ୍ଚ ପାଇଁ ଗୃହ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି । ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ପରେ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ମୃତ ଭୋଟରଙ୍କ ନାଁ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର EROଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପରିବାର ଲୋକ କିମ୍ବା ନିକଟ ସଂପର୍କୀୟଙ୍କୁ ଫର୍ମ- ୭ ଦାଖଲ କରିବାକୁ ହେବ ବୋଲି କହିଛନ୍ତି ।