
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସହରାଞ୍ଚଳରେ ଦିନକୁ ଦିନ ବସ୍ତି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ୫ବର୍ଷ ଭିତରେ ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ହେଲେ ବି ବସ୍ତି ଉଚ୍ଛେଦ ହୋଇନାହିଁ । କେବଳ ଭୁବନେଶ୍ୱର ମହାନଗର ଅଞ୍ଚଳ ନୁହେଁ, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା। ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ପ୍ରମୁଖ ସହର ଗୁଡ଼ିକରେ କୌଣସି ବି ବସ୍ତି ଉଚ୍ଛେଦ ହୋଇନାହିଁ ।
ତେବେ ବସ୍ତି ଉଚ୍ଛେଦ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି କଟକ ମହାନଗର ନିଗମ । ଏଠାରେ ଗତ ୫ବର୍ଷ ମଧ୍ୟରେ ହଜାରେରୁ ଅଧିକ ବସ୍ତି ଉଚ୍ଛେଦ କରାଯାଇଛି । ବସ୍ତି ଉଚ୍ଛେଦ ପାଇଁ ସେଠାକାର ଲୋକଙ୍କୁ ୫କୋଟିରୁ ଅଧିକ ଟଙ୍କାର କ୍ଷତିପୂରଣ ଦିଆଯାଇଥିବାର ସୂଚନା ମିଳିଛି । ଏହା ପରେ ରହିଛି ବ୍ରହ୍ମପୁର ମହାନଗର ନିଗମ। ଏଠାରେ ମାତ୍ର ୪ଟି ବସ୍ତିକୁ ଉଚ୍ଛେଦ କରାଯାଇଛି । ତେବେ ପାଞ୍ଚବର୍ଷରେ ଗୋଟିଏ ହେଲେ ବସ୍ତି ଉଚ୍ଛେଦ ହୋଇନଥିବା ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ କିନ୍ତୁ ଯଥାକ୍ରମେ ୧୧୩୯, ୫୦୦ ଓ ୩୧୪୬ଜଣଙ୍କୁ ଥଇଥାନ କରାଯାଇଛି ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସହରାଞ୍ଚଳରେ ବସ୍ତିବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏଥିପାଇଁ ୯୫କୋଟି ୩୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବଳେ ବ୍ରହ୍ମପୁରରେ ୧୩୬କୋଟି ୮୪ଲକ୍ଷ, ରାଉରକେଲାରେ ୩୨କୋଟି ୫୦ଲକ୍ଷ ଓ ସମ୍ବଲପୁରରେ ୬୨କୋଟି ୯୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତେବେ କଟକ ମହାନଗର ନିଗମରେ କୌଣସି ଅର୍ଥ ବ୍ୟୟ ହୋଇନଥିବା ଜଣାପଡିଛି । ଏହି ଅର୍ଥରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ରାଜୀବ ଆବାସ ଭଳି ଯୋଜନା ଜରିଆରେ ଘର ଯୋଗାଇ ଦିଆଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ଗତ ୫ବର୍ଷ ଭୀତରେ ଗୋଟିଏ ହେଲେ ବି ବସ୍ତି ଉଚ୍ଛେଦ ହୋଇନଥିବାବେଳେ ବେଆଇନ୍ ବସ୍ତି ସଂଖ୍ୟା କିନ୍ତୁ ହୁ ହୁ ହୋଇ ବଢି ଚାଲିଛି । ସରକାରୀ ହିସାବରେ ଭୁବନେଶ୍ବରରେ ୪୧୨ଟି ବସ୍ତି ରହିଥିବାବେଳେ ବାସ୍ତବ ବସ୍ତିସଂଖ୍ୟା କିନ୍ତୁ ହଜାରେକୁ ଟପିଛି ।
ସ୍ଥିତି ଏଭଳି ହୋଇଛି ଯେ ରାସ୍ତାକଡ ଜମି, ସରକାରଙ୍କ ଦଖଲରେ ଥିବା ଜମି, କ୍ୱାଟର୍ସ ମଝିରେ ଥିବା କନଜରଭେନ୍ସି, କେନାଲ ବନ୍ଧ, ଅବ୍ୟବହୃତ ସରକାରୀ ସ୍ଥାନରେ ରାତାରାତି ବସ୍ତି ଗଢି ଉଠୁଛି । ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଏହିସବୁ ବେଆଇନ୍ ବସ୍ତିକୁ ରାତାରାତି ବିଜୁଳି ଓ ପାଣି ସଂଯୋଗ ମଧ୍ୟ ମିଳିଯାଉଛି ।
ବେଆଇନ୍ ବସ୍ତିରେ ଚୋରା ଗାଡି ତ ଆଉ କେଉଁ ଚୋରା ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଆଦି ମିଳିବାରେ ଲାଗିଛି ।ବସ୍ତି ଏବେ ଅପରାଧିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ତେବେ ଏ ସମ୍ପର୍କରେ କମିଶନରେଟ ପୁଲିସ୍ ଅବଗତ ହେବା ପରେ ଏବେ ବସ୍ତି ତଲାସି ଅଭିଯାନ ଆରମ୍ଭ ହୋଇଛି । ନିଶା କାରବାର ଠାରୁ ଆରମ୍ଭକରି ଚୋରି ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ବସ୍ତିରୁ ହିଁ ପ୍ରସ୍ତୁତ ହେଉଛି । ତେଣୁ ରାଜ୍ୟର ସହରାଞ୍ଚଳରେ ରାତାରାତି ଗଢି ଉଠୁଥିବା ବେଆଇନ୍ ବସ୍ତି ଉପରେ ଲଗାମ ଲଗାଇବା ସହିତ ଏକାଧିକ ବସ୍ତିରେ ଘର କରି ବିକ୍ରି କରୁଥିବା କିମ୍ବା ଭଡା ଦେଇଥିବା ମାଫିଆଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।