ବରଗଡ଼ ସହରରେ ସିରିଜ ଚୋରି ଘଟଣାରେ ପୋଲିସକୁ ବଡ ସଫଳତା, ୮ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରଗଡ଼ ସହରରେ ଚାଲିଥିବା ସିରିଜ ଚୋରି ଘଟଣାରେ ଶୁକ୍ରବାର ପୋଲିସକୁ ବଡ ସଫଳତା ମିଳିଛି। ବରଗଡ଼ ଟାଉନ ଥାନା ପୋଲିସ ୫ଟି ପୃଥକ୍ ଚୋରି ମାମଲାରେ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବଲାଙ୍ଗୀର ଜିଲା ଲରମ୍ଭା ଥାନା ଲୁହାସିଂହାର ଫ୍ରାନ୍ସିସ କୁମ୍ଭାର, ବରଗଡ଼ ଟାଉନ ଥାନା ଅଧୀନ ବାଞ୍ଜିଝୁପୁଡିର ରାଜ ଛତ୍ରିଆ, ଗୋବିନ୍ଦପାଲିର ଇନ୍ଦ୍ରେଶ ସିଂ, ନିଲିବନ୍ଧ ପଡାର ସୋନୁ ସାହୁ, ଅଙ୍କିତ ମାଝି, ନୂଆପଡାର ହରିହର ଭୋଇ, ମଙ୍ଗଳା ଝୁପୁଡିର ସରୋଜ ନାଗ ଏବଂ ତଳିପଡାର ଅଶୋକ ଠେଲା।

ପୋଲିସ ତାଙ୍କଠାରୁ ୩ଟି ବାଇକ, ଗୋଟିଏ ପିକ୍‌ଅପ ଭ୍ୟାନ ଜବତ କରିଛି। ଏପରିକି ପୋଲିସ ଚୋରି ହୋଇଥିବା ୨ଟି ମୋବାଇଲ, ଏଟିଏମ୍‌, କାର୍‌, ବିଦ୍ୟୁତ୍‌ ଖୁଣ୍ଟ, ପିକ୍‌ଅପ ଭ୍ୟାନ ଚକ ଆଦି ଉଦ୍ଧାର ହୋଇଥିବା ବରଗଡ଼ ଟାଉନ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଅମୃତ କୁମାର ପଣ୍ଡା ସୂଚନା ଦେଇ କହିଛନ୍ତି।

ଗିରଫ ଅଭିଯୁକ୍ତମାନେ ବରଗଡ଼ ସହରସ୍ଥିତ ଶିବମ୍‌ ୟାମାହା ଶୋ ରୁମ୍‌ ପରିସରରୁ ବାଇକ୍‌ ଚୋରି, ନିଲିବନ୍ଧପଡ଼ା ରାସ୍ତାରେ ମୋବାଇଲ ଲୁଟ୍‌, ୱାଡ ନଂ-୧୧ରୁ ଗାଡ଼ି ଚକ ଚୋରି, ବାନ୍ଦୁଟିକ୍ରାସ୍ଥିତ ହୋଣ୍ଡା ଶୋ ରୁମ ସମ୍ମୁଖରୁ ବାଇକ୍‌ ଚୋରି ମାମଲାରେ ସମ୍ପୃକ୍ତ ଅଛନ୍ତି। ତେବେ ବରଗଡ଼ ପୌର ପରିଷଦ କାର୍ଯ୍ୟାଳୟ ପରିସରରୁ ଚୋରି ବିଦ୍ୟୁତ୍‌ ଖୁଣ୍ଟ ଉଦ୍ଧାର ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସିରିଜ ଚୋରିର ୮ ଅଭିଯୁକ୍ତ ଧରାପଡିବା ପରେ ସହରରେ ଚୋରି କମିବାର ଆଶା କରାଯାଉଛି ବୋଲି ଏସ୍‌ଡିପିଓ ପଣ୍ଡା କହିଛନ୍ତି।

Related Posts