ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତ ୧୮ ଦିନରେ ରାଜ୍ୟ ପୁଲିସ ୫୭୦୩ ଜଣଙ୍କ ବିରୋଧରେ NBW । ଫେରାର ୫୨୦ ଅଭିଯୁକ୍ତ ଗିରଫ । ଏହା ସହ ବିପୁଳ ପରିମାଣର ଗଞ୍ଜେଇ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ତେବେ ଡିଜିପି କହିଛନ୍ତି, ମେ’ ୧୨ ତାରିଖରୁ ରାଜ୍ୟର ସମସ୍ତ ପୁଲିସ ରେଞ୍ଜ୍ ଅନ୍ତର୍ଗତ ଜିଲ୍ଲା ଏସପି ଏବଂ ପୁଲିସ କମିଶନର, ଭୁବନେଶ୍ଵର-କଟକଙ୍କ ନେତୃତ୍ଵରେ “ସ୍ପେଶାଲ ଡ୍ରାଇଭ୍” ଅଭିଯାନ ଜାରି ରହିଛି ।
ବିଗତ ୧୮ ଦିନ ମଧ୍ୟରେ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା, ନିଶା ଦ୍ରବ୍ୟ (ଗଞ୍ଜେଇ ଓ ବ୍ରାଉନସୁଗାର) ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ବେଆଇନ ଖଣିଜ ଚୋରା ଚାଲାଣରେ ସମ୍ପୃକ୍ତ ଯାନବାହନ ଜବତ କରିବା ସହ ମଦ୍ୟପାନ କରି ଗାଡି ଚାଳନା ଉପରେ କଠୋର ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ସ୍ପେଶାଲ ଅପରେସନରେ ସମସ୍ତ ରେଞ୍ଜ ପୋଲିସ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ୧୮ ଦିନ ମଧ୍ୟରେ ସାରା ରାଜ୍ୟରେ ୫୭୦୩ ଜଣ ବ୍ୟକ୍ତିଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ଫେରାର ଥିବା ୫୨୦ ଜଣ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରାଯାଇଥିବା ବେଳେ ୯୫୭ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ୧୨୯ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ୍) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାସହ ୧୨୬ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁଯାୟୀ ୨୬୨୦ ଜଣଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।
