
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ଅଖିଳ ଭାରତୀୟ ଆଖଡ଼ା ପରିଷଦ୍’ର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ପାଖାପାଖି ବର୍ଷେ ପୁରିବାକୁ ଯାଉଛି। ମହନ୍ତଙ୍କ ମୃତ୍ୟୁର ପାଖାପାଖି ବର୍ଷେ ପରେ ଶୁକ୍ରବାର ତାଙ୍କ କୋଠରି ଖୋଲା ଯାଇଥିଲା | ମହନ୍ତ ନରେନ୍ଦ୍ର ଗିରିଙ୍କ କୋଠରୀ ଖୋଲିବାକୁ ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ସହ ସିବିଆଇ ଟିମ୍ ମଧ୍ୟ ପହଞ୍ଚିଥିଲେ। ରୁମର ତାଲା ଖୋଲିବା ଠାରୁ ଆରମ୍ଭ କରି ସେଠାରେ ମିଳିଥିବା ସାମଗ୍ରୀଗୁଡିକର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା | ତେବେ କୁହାଯାଉଛି ଯେ ମହନ୍ତଙ୍କ କୋଠରୀରୁ ନଗଦ ୩ କୋଟି ଟଙ୍କା, ୫୦ କିଲୋଗ୍ରାମ ସୁନା ସହ ୯ କ୍ୱିଣ୍ଟାଲ ଦେଶୀ ଘିଅ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ଦଲିଲ ଉଦ୍ଧାର କରାଯାଇଛି।ତେବେ ବର୍ତ୍ତମାନ ମହନ୍ତ ଥିବା ବଲବୀର ଗିରି ଏହାକୁ ଅସ୍ୱୀକାର କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ସେପ୍ଟେମ୍ବର ୨୦ ରେ ଅଖିଳ ଭାରତୀୟ ଆଖଡ଼ା ପରିଷଦ୍’ର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ମହନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ଆତ୍ମହତ୍ୟା ପାଇଁ ସିବିଆଇ ମହନ୍ତଙ୍କ ଶିଷ୍ୟ ଆନନ୍ଦ ଗିରି, ମନ୍ଦିର ପୁରୋହିତ ଆଦ୍ୟ ପ୍ରସାଦ ତିୱାରୀ ଏବଂ ତାଙ୍କ ପୁଅକୁ ଦାୟୀ କରିଥିଲା। ତେବେ ମହନ୍ତଙ୍କ ମୃତ୍ୟୁ ପରେ ମଠର ପ୍ରଥମ ମହଲାରେ ଥିବା ତାଙ୍କ କୋଠରୀକୁ ମଧ୍ୟ ସିଲ୍ କରାଯାଇଥିଲା। ତେବେ ବର୍ତ୍ତମାନର ମଠର ମହନ୍ତ ବଲବୀର ଗିରି କୋଠରୀ ଖୋଲିବାକୁ କୋର୍ଟରେ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁରୁବାର ଦିନ ପୁଲିସ ଓ ମାଜିଷ୍ଟ୍ରେଟ ତଥା ସିବିଆଇ ଉପସ୍ଥିତିରେ ରୁମର ତାଲା ଖୋଲାଯାଇଥିଲା। ଆଉ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ଗୋଟିଏ ବର୍ଷ ପରେ ସିଲ୍ ହୋଇଥିବା କୋଠରୀର ତାଲା ଖୋଲାଯାଇଥିଲା। କୋଠରୀରୁ ୩ କୋଟି ଟଙ୍କା, ୫୦ କିଲୋଗ୍ରାମ ସୁନା ଉଦ୍ଧାର କରାଯାଇଥିବାର କୁହାଯାଉଛି।