ରାଜ୍ୟ ସରକାରଙ୍କ ଆଇଏଏସ କୋଚିଂ ବିଫଳ; ବିଧାନସଭାରେ ମାନିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀ ସେତେ ସଫଳ ହେଉନଥିବା ଦେଖି ୨୦୧୬-୧୭ରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ଆଇଏଏସ କୋଚିଂ ଦେବାକୁ ଉଚ୍ଚଶିକ୍ଷା ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଲକ୍ଷ୍ୟ ଥିଲା ଓଡ଼ିଶାରୁ ଅଧିକ ସଂଖ୍ୟାରେ ପ୍ରଶାସନିକ ଅଧିକାରୀ ସୃଷ୍ଟି କରିବା ।କିନ୍ତୁ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଆଜି ବିଧାନସଭାରେ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନରେ ଗୃହରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

ରାଜ୍ୟର କେଉଁ କେଉଁ ବିଶ୍ୱବିଦ୍ୟାଳୟରେ ଆଇଏଏସ କୋଚିଙ୍ଗ ସେଣ୍ଟର କେବେଠାରୁ କାର୍ଯ୍ୟ କରୁଛି । କେତେ ପିଲାଙ୍କୁ କୋଚିଂ ଦିଆଯାଇଛି ଓ ଏଥିପାଇଁ ପିଲାଙ୍କ ପିଛା କେତେ ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି ସେନେଇ ପ୍ରଶ୍ନ କରିଥିଲେ ମୋହନ ମାଝୀ । ଆଉ ଏହାର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି, ୨୦୧୬-୧୭, ୨୦୧୭-୧୮ରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଆଇଏଏସ କୋଚିଂ ଦିଆଯାଇଥିଲା । ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ସମେତ ଅତିଥି ଅଧ୍ୟାପକଙ୍କ ଦ୍ୱାରା ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ କୋଚିଂ ପ୍ରଦାନ କରାଯାଉଥିଲା । କିନ୍ତୁ ଏହି ଯୋଜନାରେ ଆଶାନୁରୂପକ ଫଳ ନମିଳିବାରୁ ଏହାକୁ ୨୦୧୭-୧୮ରେ ହିଁ ଏହାକୁ ବନ୍ଦ କରାଯାଇଛି ।

ଏହା ବ୍ୟତୀତ ୨୦୧୯-୨୦ରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ଜରିଆରେ ୯୯ ଜଣ ଛାତ୍ରଛାତ୍ରୀଙ୍କୁ ଆଇଏଏସ କୋଚିଙ୍ଗ ପ୍ରଦାନ କରାଯାଇଥିଲା । କିନ୍ତୁ ଏଥିରେ ମଧ୍ୟ ଆଶାନୁରୂପକ ଫଳ ନମିଳିବାରୁ ଏହାକୁ ବନ୍ଦ କରାଯାଇଛି । ତେବେ ଆଇଏଏସ କୋଚିଙ୍ଗ ନିମନ୍ତେ ଖୁବଶୀଘ୍ର ଏକ ଯୋଜନା ଆସିବା ନେଇ ପ୍ରସ୍ତୁତି ଚାଲିଛି ଏବଂ ଏହା ସରକାରଙ୍କ ବିଚାରଧୀନ ଥିବା କଥା କହିଛନ୍ତି ରୋହିତ ପୂଜାରୀ ।

Related Posts