ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ବଢ଼ୁଥିବାର ଦରଦାମକୁ ନେଇ ଚିନ୍ତାରେ ଏବେ ଚାଷୀ । ଚାଷ ସମାଗ୍ରୀ ହେଉ କିମ୍ବା ରସାୟନିକ ସାର ହେଉ ଦର ଶୁଣି ଚାଷୀମାନଙ୍କର ମୁଣ୍ଡବିନ୍ଧାରେ ହେବାରେ ଲାଗିଲାଣି । ଏପରିସ୍ଥିତି ଜଣେ ଚାଷୀ ଚାଷ କରିବା ନା କଣ କରିବ ଚିନ୍ତା ମଧ୍ୟ କରି ପାରୁ ନାହିଁ । ସେପଟେ ଏପ୍ରିଲ୍ ୧ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହେବାକୁ ଥିବା ସାର ସବ୍ସିଡି ବିଳମ୍ବିତ ହେଉଥିବାରୁ, ଆଗାମୀ ଦିନରେ ସାର ଦର ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରିଛି ରାଜ୍ୟ କୃଷି ବିଭାଗ। ତେବେ ରାଜ୍ୟର ୧୭ଟି ଜିଲ୍ଲାରେ ରବି ଧାନ ଫସଲ ଅମଳ ଅନ୍ତିମ ପର୍ୟ୍ୟାୟରେ ପହଞ୍ଚି ସାରିଛି। ବାକି ଜିଲ୍ଲାରେ ଖରିଫ୍ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରୁଆ ବେଳେ ବ୍ୟବହୃତ ହେଉଥିବା ୫୦ କେଜିର ଡିଏପି ୧୨୦୦ରୁ ୧୩୫୦ ଟଙ୍କା, ଗ୍ରୋମୋର ୧୩୭୦ରୁ ୧୯୦୦ ଟଙ୍କା, ପଟାସ ୧୦୦୦ ରୁ ୧୭୦୦ ଟଙ୍କା, ଏନ୍ପିକେ ୧୧୫୦ ରୁ ୧୨୯୦ ଟଙ୍କାକୁ ବୃଦ୍ଧି ପାଇଛି। ଚାଷୀ ନେତା ଅଶୋକ ପ୍ରଧାନଙ୍କ କହିବା ଅନୁସାରେ, ସାଧାରଣତଃ ଚାଷୀ କରଜରେ ସାର କ୍ରୟ କରୁଥିବାରୁ ଏହି ଦର ଠାରୁ ଆହୁରି ୨୦୦ରୁ ୩୦୦ ଟଙ୍କା ଅଧିକ ଦେବାକୁ ପଡ଼ିବ। ତେଣୁ ସାରର ଏତେ ଦର ବୃଦ୍ଧି ଚାଷୀକୁ ତଳିତଳାନ୍ତ କରିଦେବ। ବର୍ତ୍ତମାନ ମାଟିର ସ୍ଥିତି ଏଭଳି ହୋଇଛି ଯେ ସାର ବ୍ୟବହାରର ମାତ୍ରା ମଧ୍ୟ ବୃଦ୍ଧି ପାଉଛି। ଜଳସେଚିତ ଅଞ୍ଚଳରେ ପୂର୍ବରୁ ଯେଉଁଠି ୨ ଥର ସାର ସିଞ୍ଚନ କରିବାକୁ ପଡ଼ୁଥିଲା, ବର୍ତ୍ତମାନ ୫ ଥର ସିଞ୍ଚନ କରିବାକୁ ପଡ଼ୁଛି।
ନଚେତ ଉତ୍ପାଦନ ବଢୁନାହିଁ। ସେଥିରେ ପୁଣି ସାର ବ୍ୟବହାର ବଢ଼ିବା ସହିତ କୀଟନାଶକ ବ୍ୟବହାର ବଢ଼ିବ। ଫଳରେ ଖର୍ଚ୍ଚ ବଢ଼ିବ। କିନ୍ତୁ ଏମ୍ଏସ୍ପି ସେଭଳି ମିଳିବ ନାହିଁ। ମଣ୍ଡି ଯାଇପାରୁନଥିବା କ୍ଷୁଦ୍ର ଚାଷୀଙ୍କ ଅବସ୍ଥା ଆହୁରି ଖରାପ ହେବ। ରାଜ୍ୟ କୃଷି ବିଭାଗ ଅନୁସାରେ, ରୁଷିଆ-ୟୁକ୍ରେନ ଯୁଦ୍ଧ ସହିତ ବିଭିନ୍ନ କାରଣରୁ ଅନ୍ତର୍ଜାତୀୟ ବଜାରରେ ରାସାୟନିକ ସାର ଦର ୩ରୁ୪ ଗୁଣ ବୃଦ୍ଧି ପାଇଛି। ଭାରତ ନିଜ ଆବଶ୍ୟକତା ଅନୁସାରେ କିଛି ସାର ନିଜେ ଉତ୍ପାଦନ କରିଥାଏ ଏବଂ ଆଉ କିଛି ବାହାରୁ ଆମଦାନି କରିଥାଏ। ନିଜ ଉତ୍ପାଦିତ ସାର ପାଇଁ ଫସ୍ଫରିକ ଏସିଡ୍, ଡିଏପି, ପଟାସିକ୍ ରକ୍ ସମେତ ଅନ୍ୟ କଞ୍ଚାମାଲ ରୁଷ, ୟୁକ୍ରେନ, କାନାଡ଼ା, ଜୋଡାନ, ଇଜିପ୍ଟ, ଓ ବେଲାରୁଷରୁ ଆମଦାନି କରିଥାଏ। ଯୁଦ୍ଧ ଯୋଗୁଁ ଏସବୁର ଦର ବୃଦ୍ଧି ପାଇଛି। ପୁଣି ମିଳୁନାହିଁ ମଧ୍ୟ। ସେଥିରେ ପୁଣି ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖରିଫ ସାର ସବ୍ସିଡି ଏପ୍ରିଲ ୧ରେ ଘୋଷଣା କରାଯାଏ। ଚଳିତ ବର୍ଷ କେବେ କରାଯିବ, ତାକୁ ନେଇ ଅନିଶ୍ଚିତତା ରହିଛି। ତେଣୁ ସାର ଦର ଆହୁରି ବଢ଼ିବା ଭଳି ସ୍ଥିତି ଉପୁଜିଛି।