ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବେ ରାସ୍ତାଘାଟରେ ଚର୍ଚ୍ଚାର ବିଷୟହେଲାଣି| ଦଳ ଭିତରେ ମାମଲାକୁ ଚାପି ରଖିବାକୁ ଉଭୟ ପକ୍ଷରୁ ଚେଷ୍ଟା ହେଉଥିବା ସତ୍ତ୍ୱେ, ବିବାଦ ଏବେ କଂଗ୍ରେସ ଭବନରୁ ବାହାରି ମିଡିଆ ପର୍ଯ୍ୟନ୍ତ ପହଞ୍ଚିଛି।
ନିକଟରେ ଭକ୍ତ ଚରଣ ଦାସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଜଣେ ସାମ୍ବାଦିକଙ୍କୁ ପଠାଯାଇଥିବା ଓକିଲ ନୋଟିସର କପି ପୋଷ୍ଟ କରିଥିଲେ। ଏହି ନୋଟିସ ଡିଜିଟାଲ ମିଡିଆ “ଭାରତ 24”ର ସମ୍ପାଦକ ଅମିତ ମିଶ୍ରଙ୍କୁ ପଠାଯାଇଥିଲା। ଅମିତ ମିଶ୍ର ତାଙ୍କ ସୋସିଆଲ ମିଡ଼ିଆରେ ଭକ୍ତ ଦାସ ଓ ଅଜୟ ଲୁଲୁଙ୍କ ମଧ୍ୟରେ ସମ୍ପର୍କ ଗୁରୁତର ଭାବେ ଖରାପ ହୋଇଥିବା ଦାବି କରିଥିଲେ। ସେ ଲେଖିଥିଲେ ଯେ, ଗତ ଏକ ମାସ ଧରି ଉଭୟଙ୍କ ମଧ୍ୟରେ ସାଙ୍ଗଠନିକ କିମ୍ବା ରାଜନୈତିକ କାର୍ଯ୍ୟକଳାପକୁ ନେଇ ପ୍ରାୟ କୌଣସି ଆଲୋଚନା ହୋଇନାହିଁ।
ଏହା ଆହୁରି ଅଭିଯୋଗ ହୋଇଥିଲା ଯେ, ଭକ୍ତ ଚରଣ ଦାସ ପିସିସି ସଭାପତି ପଦବୀର ଦୁରୁପଯୋଗ କରୁଛନ୍ତି ଏବଂ କିଛି ବ୍ୟବସାୟୀଙ୍କ ସହ ସଂପର୍କ ରଖି ନିଜ ସ୍ୱାର୍ଥ ସାଧନ କରୁଛନ୍ତି। ଏହି ସମ୍ପର୍କରେ ଅଜୟ ଲୁଲୁ କଂଗ୍ରେସ ହାଇକମାଣ୍ଡଙ୍କୁ ଏକ ବିସ୍ତୃତ ରିପୋର୍ଟ ଦେଇଥିବା ମଧ୍ୟ ଲେଖାରେ ଉଲ୍ଲେଖ ଥିଲା।
ଏହି ପୋଷ୍ଟକୁ ନେଇ ଭକ୍ତ ଚରଣ ଦାସ ତାଙ୍କ ଆଇନଜୀବୀ ମାଧ୍ୟମରେ ଅମିତ ମିଶ୍ରଙ୍କୁ ମାନହାନି ନୋଟିସ ପଠାଇଥିଲେ। ବିବାଦୀୟ ପୋଷ୍ଟକୁ ତୁରନ୍ତ ହଟାଇବାକୁ ନୋଟିସରେ କୁହାଯାଇଥିଲା। ନହେଲେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସତର୍କ କରାଯାଇଥିଲା। ପରେ ନାଟକୀୟ ଭାବେ ଅମିତ ମିଶ୍ର ସେହି ଲେଖାକୁ ହଟାଇ ଦେଇଥିଲେ।
ଏହା ପରେ ଭକ୍ତ ଦାସଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ବାହାରର କିଛି ସାମ୍ବାଦିକଙ୍କୁ ବ୍ୟବହାର କରି ଭକ୍ତ ଦାସଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ଏବଂ ହାଇକମାଣ୍ଡଙ୍କ ନିକଟରେ ଭୁଲ ସନ୍ଦେଶ ପହଞ୍ଚାଯାଉଛି।
ତେବେ କଂଗ୍ରେସ ଭିତରେ ଚାଲିଥିବା ଏହି ଦଳୀୟ ଦ୍ୱନ୍ଦ୍ୱ ଏବେ ସ୍ପଷ୍ଟ ହୋଇପଡ଼ିଛି। ଏକପଟେ ଭକ୍ତ ଦାସଙ୍କ ବିରୋଧରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନଙ୍କ ଭଳି ବରିଷ୍ଠ ନେତାମାନେ ଏକଜୁଟ ହେଉଥିବା କୁହାଯାଉଛି। ଅନ୍ୟପଟେ ଅଜୟ ଲୁଲୁ ମଧ୍ୟ ଏହି ନେତାମାନଙ୍କ ସହ ମିଶି ଭକ୍ତ ଦାସଙ୍କୁ ଚେକ୍ ଦେବା ପାଇଁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି।
ସେପଟେ ଭକ୍ତ ଦାସଙ୍କ ଶିବିରର ଦାବି ହେଉଛି ଯେ, ଅଜୟ ଲୁଲୁ ଦଳକୁ ଭାଗଭାଗ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏନେଇ ଦିଲ୍ଲୀରେ ହାଇକମାଣ୍ଡଙ୍କ ନିକଟରେ ଫେରାଦ ମଧ୍ୟ ହୋଇଛି। ଏପର୍ଯ୍ୟନ୍ତ ଦଳ ଭିତରେ ଚାଲିଥିବା ଏହି ଟଣାଟଣି ଆଗାମୀ ଦିନରେ ଓଡ଼ିଶା କଂଗ୍ରେସର ରାଜନୀତିକୁ କେତେ ପ୍ରଭାବିତ କରିବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।
