ଭାରତ-ଆଫଗାନିସ୍ତାନ ମୁକାବିଲା: ଟସ୍ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି, ଟିମ୍ ଇଣ୍ଡିଆରେ ଗୋଟିଏ ପରିବର୍ତ୍ତନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶ୍ୱକପ୍ କ୍ରିକେଟରେ ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା । ଟସ୍ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ଟିମ୍ ଇଣ୍ଡିଆ ବୋଲିଂ କରିବ । ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଅଶ୍ୱିନଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ଦିଆଯାଇଛି ।

ଦିଲ୍ଲୀରେ ଆଜି କିଏ ଦେଖାଇବ ଦମ୍ । ଗୋଟିଏ ପଟେ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ବାଂଲାଦେଶ ଠାରୁ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲା ଆଫଗାନିସ୍ତାନ । ତେଣୁ ଆଜି ଭାରତ ବିପକ୍ଷରେ ବିପର୍ଯ୍ୟୟ ଘଟାଇବାକୁ ଦଳ ପ୍ରୟାସ କରିବ । ୨୦୧୯ ବିଶ୍ୱକପରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ୧୧ ରନରେ ଜିତିଥିଲା ଭାରତ । ଆଜିର ମ୍ୟାଚରେ ଭାରତର ପଲା ଭାରି ରହିବା ସ୍ୱାଭାବିକ୍ କିନ୍ତୁ ଆଫଗାନିସ୍ତାନ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି । ଆଜିର ବ୍ଲକବଷ୍ଟର ବ୍ୟାଟେଲରେ ଆଫଗାନିସ୍ତାନ ସ୍ପିନର ଓ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ଅସଲ ଲଢେଇ ଦେଖିବାକୁ ମିଳିବ । ଆଫଗାନିସ୍ତାନ ଦଳରେ ରସିଦ ଖାନ୍, ମୁଜିବ୍ ଉର ରେହମାନଙ୍କ ଭଳି ଘାତକ ସ୍ପିନର ରହିଛନ୍ତି । ମହମ୍ମଦ ନବି ମଧ୍ୟ ଅତିରିକ୍ତ ସ୍ପିନର ଦାୟିତ୍ୱ ତୁଲାଇବେ । ବାମ ହାତି ଲେଗ୍ ସ୍ପିନର ଭାବେ ଦଳରେ ନୁର୍ ଅହମ୍ମଦ ରହିଛନ୍ତି ।

ସେପଟେ ଟିମ୍ ଇଣ୍ଡିଆରେ ମଧ୍ୟ ଆଜି କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ବୋଲିଂ ବିଭାଗରେ ଭାରତ ପରିବର୍ତ୍ତନ କରିଛି । ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ସାର୍ଦ୍ଦୁଲ ଠାକୁରଙ୍କୁ ଖେଳିବାକୁ ସୁଯୋଗ ମିଳିଛି । ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ଖରାପ ପ୍ରଦର୍ଶନ ପାଇଁ ଟପ୍ ଅର୍ଡରକୁ ନେଇ ବଢିଛି ଚିନ୍ତା । ଶୁବମନ୍ ଗିଲ୍ ଏଯାଏଁ ସୁସ୍ଥ ହୋଇନଥିବାରୁ ଆଜି ମଧ୍ୟ ସେ ଖେଳିବେନି । ଇଶାନ୍ କିଷନ ଓପନ୍ କରିବେ । ଅଷ୍ଟ୍ରେଲିଆ ବିପକ୍ଷରେ ଖରାପ ସଟ୍ ଖେଳି ଆଉଟ୍ ହୋଇଥିଲେ, ଏଥର କିନ୍ତୁ ସୁଯୋଗର ସଦୁପଯୋଗ କରିବାକୁ ପ୍ରୟାସ କରିବେ । ଯଦି ପିଚ୍ ରିପୋର୍ଟ କଥା କହିବା, କୋଟଲା ଗ୍ରାଉଣ୍ଡର ପିଚ୍, ବ୍ୟାଟିଂ ପାଇଁ ବେଶ୍ ଅନୁକୁଳ ରହିବ । ହାଇସ୍କୋରିଂ ରହିଥିଲା ଦକ୍ଷିଣଆଫ୍ରିକା ବନାମ ଶ୍ରୀଲଙ୍କା ମ୍ୟାଚ୍ । ଆଜି ମଧ୍ୟ ବିଶାଳ ସ୍କୋରର ଆଶା କରାଯାଉଛି ।

Related Posts