ଭାରତ ଚାହିଁଲେ ଋଷ-ୟୁକ୍ରେନ୍ ଯୁଦ୍ଧ ରୋକିପାରିବ: ଜାତିସଂଘରେ ମେକ୍ସିକୋର ପ୍ରସ୍ତାବ

ନୂଆଦିଲ୍ଲୀ: ଶାନ୍ତି ଆଲୋଚନା, ସମାଲୋଚନା, ବିରୋଧ, ବିକ୍ଷୋଭ ଏସବୁ ପରେ ମଧ୍ୟ ଋଷ-ୟୁକ୍ରେନ୍ ଯୁଦ୍ଧ ଜାରୀ ରହିଛି । ଆମେରିକା ସମେତ ପଶ୍ଚିମ ଦେଶଗୁଡ଼ିକ ଋଷକୁ ବିରୋଧରେ ଯାଇ ୟୁକ୍ରେନ୍‌କୁ ସହଯୋଗ କରୁଥିବା ବେଳେ କିଛି ରାଷ୍ଟ୍ର ଋଷକୁ ସମର୍ଥନ କରୁନଥିଲେ ବି ବିରୋଧରେ ବି ଯାଉ ନାହାନ୍ତି। ସେପଟେ ଋଷ କାହା କଥାକୁ ଖାତିର ନକରି ଲଗାତାର ଭାବେ ଆକ୍ରମଣ କରି ଚାଲିଛି । ଏ କ୍ଷେତ୍ରରେ ଭାରତ ସନ୍ତୁଳନ ବଜାଇ ରଖିଛି।

ତେବେ ଋଷ ଭାରତର ମିତ୍ର ରାଷ୍ଟ୍ର ହୋଇଥିବାରୁ ସମସ୍ତଙ୍କ ନଜର ଭାରତ ଉପରେ ରହିଛି। ଭାରତ ଚାହିଁଲେ ଯୁଦ୍ଧ ରୋକି ପାରିବ ବୋଲି ଅନେକ ଦେଶର ଧାରଣା ରହିଛି। ଯୁଦ୍ଧ ରୋକିବା ନେଇ ପୂର୍ବରୁ ଅନେକ ଥର ଭାରତ କଥା ଉଠିସାରିଥିବା ବେଳେ ଏବେ ମେସ୍କିକୋ ପୁଣିଥରେ ଭାରତ ନାଁ ନେଇଛି। ଭାରତ ଚାହିଁଲେ ଋଷ-ୟୁକ୍ରେନ୍ ଯୁଦ୍ଧ ରୋକିପାରିବ ବୋଲି ମେକ୍ସିକୋ ଜାତିସଂଘରେ ପ୍ରସ୍ତାବ ଦେଇଛି।

ଯୁଦ୍ଧ ରୋକିବାକୁ ମେକ୍ସିକୋ ବୈଦେଶିକ ମନ୍ତ୍ରୀ ମାର୍ସେଲୋ ଲୁଇସ୍ ଏବାର୍ଡ କାସାବୋନ୍ଜାତିସଂଘକୁ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଖ୍ରୀଷ୍ଟ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍ ଏବଂ ଜାତିସଂଘ ସଚିବ ଜେନେରାଲ୍ ଆଣ୍ଟୋନିଓ ଗୁଟେରିସଙ୍କୁ ମଧ୍ୟସ୍ଥି ଭାବେ ରଖାଯାଉ। ଏହି କମିଟି ଋଷ-ୟୁକ୍ରେନ୍ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦିଗରେ ମଧ୍ୟସ୍ଥି କରିବେ ବୋଲି ବୋଲି କାସାବୋନ୍ କହିଛନ୍ତି।

ୟୁକ୍ରେନ୍‌କୁ ନେଇ ନ୍ୟୁୟର୍କରେ ଆୟୋଜିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକରେ ମେକ୍ସିକୋ ବିଦେଶ ମନ୍ତ୍ରୀ ଏହି ପ୍ରସ୍ତାବ ଦେଇଛନ୍ତି। ନିକଟରେ ଉଜବେକିସ୍ତାନର ସମରକନ୍ଦରେ ସାଙ୍ଘାଇ କୋପରେସନ ଅର୍ଗାନାଇଜେସନ ବୈଠକରେ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଋଷକୁ ଉପଦେଶ ଦେଇଥିଲା ଭାରତ। ବର୍ତ୍ତମାନର ଯୁଗ ଯୁଦ୍ଧର ନୁହେଁ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯାହା ଆମେରିକା ଗଣମାଧ୍ୟମରେ ମୁଖ୍ୟ ସିରୋନାମା ପାଲଟିଥିଲା। ଏହାର କିଛିଦିନ ପରେ ମେକ୍ସିକୋ ଏଭଳି ପ୍ରସ୍ତାବ ଦେଇଛି ।

Related Posts