କାରଗିଲ ଯୁଦ୍ଧରେ ଭାରତକୁ ବିଶ୍ୱର ସହଯୋଗ ମିଳି ନଥିଲା ତଥାପି ଭାରତ ଏକୁଟିଆ ଲଢି ବିଜୟ ହାସଲ କରିଥିଲା : ରାଜନାଥ ସିଂହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କାରଗିଲ ବିଜୟ ଦିବସ ଅବସରରେ ଦେଶର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଜମ୍ମୁରେ କାରଗିଲ ଯୁଦ୍ଧରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଭାରତ ଏବେ ଏକ ଶକ୍ତିଶାଳୀ ଦେଶ ହୋଇଯାଇଛି । ସେନା ଯବାନଙ୍କ ପ୍ରଶଂସା ଯେତେ କରାଯିବ ତାହା କମ ହେବ । କାରଗିଲ ଯୁଦ୍ଧରେ ଆମ ୩ ସେନାଙ୍କ ମଧ୍ୟରେ ସମନ୍ୱୟ ଦେଖିବାକୁ ମିଳିଥିଲା ।ସେ ମନେପକାଇବାକୁ ଯାଇ କହିଛନ୍ତି, ସ୍ଥଳ ସେନାର ସପୋର୍ଟରେ ବାୟୁସେନା ଅପରେଶନ ସଫେଦ ସାଗର ଚଳାଇଥିଲେ ତ ନୌସେନା ଆରବ ସାଗରରେ କରାଚି ପର୍ଯ୍ୟନ୍ତ ପହଞ୍ଚିବାକୁ ସମୁଦ୍ର ରାସ୍ତାକୁ ଅବରୋଧ କରିବାରେ ବଡ ଭୂମିକା ଗ୍ରହଣ କରିଥିଲେ ।

ବର୍ଷ ୧୯୬୫ ଓ ୧୯୭୧ର ଯୁଦ୍ଧରେ ପାକିସ୍ତାନର ପରାଜୟ ହୋଇଥିବା ବେଳେ କାରଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ କଡା ଜବାବ ଦେଇଥିଲେ । ରାଜନାଥ ଆହୁରି ମଧ୍ୟ କହିଛନ୍ତି, ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରୁଛି କି ଯଦି ପାକିସ୍ତାନ କିଛି ଦୁଃସାହସ କରେ ତେବେ ତାକୁ ଉଚିତ ଜବାବ ଦିଆଯିବ । ଆଶା କରୁଛି ପାକିସ୍ତାନ ସଦବୁଦ୍ଧିରେ କାମ କରୁଛି ।

କରଗିଲ ବିଜୟ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, କାରଗିଲ ଯୁଦ୍ଧରେ ଭାରତକୁ ବିଶ୍ୱର ସହଯୋଗ ମିଳି ନ ଥିଲା । ଏହାପରେ ବି ଭାରତ ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରି ଏକୁଟିଆ ଏହି ଯୁଦ୍ଧ ଲଢିବା ସହ ବିଜୟ ହାସଲ କରିଥିଲା । ଏହାପରେ ବି ପାକିସ୍ତାନ କିଛି ଶିକ୍ଷା କରିପାରିଲା ନାହିଁ । ଆମେ ପଡୋଶୀ ଦେଶ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ, ହେଲେ ଯଦି କେହି ଆମକୁ ନାଲି ଆଖି ଦେଖାଇବେ ତେବେ ତାହାର କଡା ଜବାବ ବି ଦିଆଯିବ ।

Related Posts