ବିମାନ ଯାତ୍ରା ବେଳେ ମଝି ଆକାଶରେ ଅସୁସ୍ଥ ହୋଇପଡିଥିବା ଜଣେ ସହଯାତ୍ରୀଙ୍କୁ ଚିକିତ୍ସା କଲେ ତେଲେଙ୍ଗାନା ରାଜ୍ୟପାଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିମାନ ଯାତ୍ରା ବେଳେ ମଝି ଆକାଶରେ ଅସୁସ୍ଥ ହୋଇପଡିଥିବା ଜଣେ ସହଯାତ୍ରୀଙ୍କୁ ଚିକିତ୍ସା କରି ଚର୍ଚ୍ଚାରେ ତେଲେଙ୍ଗାନା ରାଜ୍ୟପାଳ ।ନୂଆଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନରେ ଜଣେ ସହଯାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଉକ୍ତ ବିମାନରେ ଯାତ୍ରା କରୁଥିବା ତେଲେଙ୍ଗାନା ରାଜ୍ୟପାଳ ତାମିଲିସାହି ସୁନ୍ଦରରାଜନ ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିବା ଦେଖିବାକୁ ମିଳିଥିଲା ।ଜଣେ ଯାତ୍ରୀ ହଠାତ୍‌ ଅସୁସ୍ଥତା ଅନୁଭବ କରିଥିବା ବିମାନ କ୍ର୍ୟୁ ସଦସ୍ୟଙ୍କ ଠାରୁ ଖବର ପାଇଥିଲେ ରାଜ୍ୟପାଳ ସୁନ୍ଦରରାଜନ । ତେବେ ସୂଚନା ପାଇବା ମାତ୍ରେ ସେ ଉକ୍ତ ଯାତ୍ରୀଙ୍କ ସିଟ୍‌ ନିକଟକୁ ଯାଇ ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ଯାତ୍ରୀଜଣଙ୍କ ସୁସ୍ଥ ଅନୁଭବ କରିଥିବା ମଧ୍ୟ ସୂଚନା ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜନୀତିରେ ଯୋଗ ଦେବା ପୂର୍ବରୁ ସୁନ୍ଦରରାଜନ ବୃତ୍ତିରେ ଜଣେ ଡାକ୍ତର ଥିଲେ । ରାଜ୍ୟପାଳଙ୍କ ଏପରି ମହାନତା ଦେଖି ବିମାନର ଅନ୍ୟ ଯାତ୍ରୀମାନେ ଫଟୋ ଓ ସେଲ୍ଫି ଉଠାଇବା ସହ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ । ତେବେ ରାଜ୍ୟପାଳଙ୍କ ଏପରି କାର୍ଯ୍ୟ ତାଙ୍କୁ ସାଧାରଣରେ ପ୍ରଂଶସିତ କରିଛି ।

Related Posts