ନୂଆଦିଲ୍ଲୀ : ଶ୍ରୀଲଙ୍କା ଏବେ ଘୋର ସଙ୍କଟ ମଧ୍ୟରେ ଗତି କରୁଛି | ଆର୍ଥିକ ସଂକଟ ଶ୍ରୀଲଙ୍କା ବାସୀଙ୍କ ପାଇଁ ଘୋର ସଙ୍କଟ ଆଣିଦେଇଛି | ଜନତା ଏବେ ଖାଦ୍ୟ-ପେୟ ପାଇଁ ଅସୁବିଧାର ସାମ୍ନା କରୁଛନ୍ତି । ଏଭଳି ଏକ ଅସୁବିଧା ସମୟରେ ଭାରତ ଏକ ଭଲ ପଡୋଶୀ ରାଷ୍ଟ୍ର ଓ ବଡ଼ଭାଇର ଭୂମିକା ତୁଲାଉଛି । ଭାରତ କ୍ରମାଗତ ଭାବେ ଶ୍ରୀଲଙ୍କାକୁ ସହାୟତା ଯୋଗାଇ ଆସୁଛି ।

ଭାରତ ପୁଣି ଥରେ ଶ୍ରୀଲଙ୍କାକୁ ବଡ଼ ସହାୟତା ଦେଇଛି । ଜାତୀୟ ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ୧୧ ହଜାର ମେଟ୍ରିକ୍ ଟନ୍ ଚାଉଳର ପ୍ରଥମ ଦଫା ପଠାଇଛି । ଶ୍ରୀଲଙ୍କାକୁ ୧ ବିଲିୟନ ଡଲାର ଭାରତୀୟ ଋଣ ସୁବିଧା ଦିଆଯାଇଛି । ଶ୍ରୀଲଙ୍କାର ଅଧିକାରୀମାନେ ଚାଉଳ ପାଇବା ପରେ ଭାରତ ସରକାର ଓ ଭାରତୀୟ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେମାନେ କହିଛନ୍ତି ଯେ, ଅସୁବିଧା ସମୟରେ ଭାରତ ସହୟତାର ହାତ ବଢ଼ାଇଛି ।

ଶ୍ରୀଲଙ୍କାକୁ ଆର୍ଥିକ ସଂକଟରୁ ମୁକ୍ତ କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଶ୍ରୀଲଙ୍କା ସରକାରଙ୍କ ମଧ୍ୟରେ ୨୦୨୨ ମାର୍ଚ୍ଚ ୧୭ ତାରିଖରେ ବୁଝାମଣା ହୋଇଥିଲା । ଏହି ବୁଝାମଣା ଅନୁସାରେ ଋଣ ଦିଆଯାଇଛି । ଏହି ଋଣ ବଳରେ ଭାରତରୁ ଶ୍ରୀଲଙ୍କାକୁ ଖାଦ୍ୟ ସାମଗ୍ରୀ ପଠାଯାଉଛି । କେବଳ ଖାଦ୍ୟ ପଦାର୍ଥ ନୁହେଁ । ବରଂ ଭାରତ ସରକାର ଶ୍ରୀଲଙ୍କାକୁ ଇନ୍ଧନ ଓ ଔଷଧ ମଧ୍ୟ ଯୋଗାଇ ଦେଇଛନ୍ତି ।

ସେପଟେ ଭାରତର ଏହି ସହାୟତାକୁ ନେଇ ପୂର୍ବତନ କ୍ରିକେଟ୍‌ ଖେଳାଳି ସନତ ଜୟସୂର୍ଯା ପଡ଼ୋଶୀ ଦେଶ ଭାରତକୁ ପ୍ରଶଂସା କରିଛନ୍ତି। ଭାରତକୁ ବଡ଼ଭାଇ ବୋଲି କହି ଜୟସୂର୍ୟା କହିଛନ୍ତି, ଜଣେ ପଡ଼ୋଶୀ ଦେଶ ତଥା ବଡ଼ଭାଇ ଭାବେ ଭାରତ ଆମକୁ ସାହାଯ୍ୟ କରୁଛି। ଆମେ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ କୃତଜ୍ଞ। ଏ ସମୟରେ ବଞ୍ଚି ରହିବା ମଧ୍ୟ ଆମ ପକ୍ଷେ ଏତେ ସହଜ କଥା ନୁହେଁ। ଭାରତ ଏବଂ ଅନ୍ୟ ଦେଶମାନଙ୍କ ସହଯୋଗ ପାଇ ପରିସ୍ଥିତି ବଦଳିଯିବ ବୋଲି ଆଶା କରୁଛି।

ସ୍ଥିତି ଏମିତି ହୋଇଛି ଯେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ବହୁ ସଂଖ୍ୟକ ଲୋକ ବର୍ତ୍ତମାନ ନିଜର ଅଳଙ୍କାର ବିକ୍ରୟ କରିବାକୁ ବାଧ୍ୟ ହୋଇଛନ୍ତି | ଶ୍ରୀଲଙ୍କାର ସୁନା ଦୋକାନ ମାଲିକମାନେ କହିଛନ୍ତି ଯେ ସେମାନେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି ଦେଖୁଛନ୍ତି ଯେ ଲୋକମାନେ ଅତ୍ୟାବଶ୍ୟକ ଦ୍ରବ୍ୟ କିଣିବା ପାଇଁ ସୁନା ବିକ୍ରୟ କରୁଛନ୍ତି । ଲୋକଙ୍କ ପାଖରେ ଖାଇବାକୁ ଟଙ୍କା ନଥିବାରୁ ସୁନା ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ।

ଖବର ଅନୁଯାୟୀ, ଶ୍ରୀଲଙ୍କାରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଏକ ଲକ୍ଷ ନବେ ହଜାର ଟଙ୍କାରେ ପହଞ୍ଚିଛି | ସେହିପରି ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଏକ କପ୍ ଚା’ର ମୂଲ୍ୟ ୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏକ କିଲୋଗ୍ରାମ ଆଳୁର ଦାମ ୨୦୦ ଟଙ୍କା ହୋଇଥିବାବେଳେ ଏକ ଲିଟର କ୍ଷୀର ପାଇଁ ଜଣଙ୍କୁ ୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି |