
ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ଭାରତକୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ତାରିଫ କରିବା ସହ ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ପୂର୍ବ ୟୁରୋପରେ ଫସିଥିବା ବାଂଲାଦେଶୀ ଛାତ୍ରଙ୍କୁ ଉଦ୍ଧାର କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି।
ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ସାକ୍ଷାତ୍କାର ଦେଇ ଭାରତ ସରକାରଙ୍କର କୋଭିଡ-୧୯ ଭ୍ୟାକ୍ସିନ ମୈତ୍ରୀ କାର୍ଯ୍ୟକ୍ରମକୁ ମଧ୍ୟ ତାରିଫ କରିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ।
ଦୁଇ ଦେଶ ଉତ୍ତମ ସମ୍ପର୍କ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ମତଭେଦ ରହିପାରେ। ତେବେ ପରସ୍ପର ଆଲୋଚନା କରି ଏହାର ସମାଧାନ କରିପାରିବେ। ଅନେକ ସମରେ ଭାରତ ଓ ବାଲାଂଦେଶ ଏହା କରିଛନ୍ତି ବୋଲି ଶେଖ ହସିନା କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାରିଫ କରି ଶେଖ ହସିନା କହିଛନ୍ତି ଯେ ଭାରତ ସରକାରଙ୍କ ସମର୍ଥନରେ ବାଂଲାଦେଶୀ ନାଗରିକଙ୍କୁ ଅନେକ ସାହାଯ୍ୟ ମିଳିଛି। ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ରୁ ବାଂଲାଦେଶ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଆମର ଅନେକ ସହଯୋଗ କରିଛନ୍ତି। ମୋଦୀଙ୍କୁ ଧନ୍ୟବାଦ ଦେଇ ହସିନା କହିଛନ୍ତି “ମୁଁ ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ତରଫରୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି। ସେ ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସମୟରେ ଆମର ଅନେକ ଛାତ୍ରକୁ ଭାରତୀୟ ଛାତ୍ରଙ୍କ ସହ ସେଠାରୁ ଉଦ୍ଧାର କରିବାରେ ସାହାଯ୍ୟ କରିଛନ୍ତି। ବିପଦ ସମୟରେ ସେ ପ୍ରକୃତ ବନ୍ଧୁତ୍ୱ ଦେଖାଇଛନ୍ତି। ଏହି ପଦକ୍ଷେପ ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଉଛି।”
ସେହିପରି କରୋନା ସମୟରେ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଭ୍ୟାକ୍ସି ମୈତ୍ରୀ କାର୍ଯ୍ୟକ୍ରମକୁ ମଧ୍ୟ ତାରିଫ କରିଛନ୍ତି ହସୀନା। ସେ କହିଛନ୍ତି “ଏହି ପଦକ୍ଷେପ ପାଇଁ ମୁଁ ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଉଛି। ସେ କବେଳ ବାଂଲାଦେଶ ନୁହେଁ ବରଂ କିଛି ଦକ୍ଷିଣ ଏସିଆ ଦେଶକୁ ବି ଟିକା ଦେଇଛନ୍ତି। ଯାହା ପ୍ରକୃତରେ ବହୁତ ସାହାଯ୍ୟ କଲା। ଏହା ବାଦ୍ ଆମେ ଟଙ୍କା ଦେଇ ମଧ୍ୟ ଭାରତରୁ ଟିକା କିଣୁଛି।”