ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆ ‘ଆଇ୨ୟୁ୨’ ଗ୍ରୁପ୍ ଗଢ଼ିବେ ଭାରତ, ଇଜ୍ରାଏଲ୍, ୟୁଏଇ ଓ ଆମେରିକା । ସମଗ୍ର ବିଶ୍ବରେ ଆମେରିକାର ମିତ୍ରରାଷ୍ଟ୍ରମାନଙ୍କୁ ପୁନଃଜାଗ୍ରତ କରିବା ଲାଗି ଏହା ହେଉଛି ବାଇଡେନ୍ ପ୍ରଶାସନ ଉଦ୍ୟମ ଅଂଶବିଶେଷ ବୋଲି ହ୍ବାଇଟ୍ ହାଉସ୍ କହିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଇଜ୍ରାଏଲୀୟ ପ୍ରଧାନମନ୍ତ୍ରୀ ନେଫ୍ଟାଲି ବେନେଟ୍ ଏବଂ ୟୁଏଇର ରାଷ୍ଟ୍ରପତି ମହମ୍ମଦ୍ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ ଏହି ପ୍ରଥମ ଭର୍ଚ୍ୟୁଆଲ୍ ଶିଖର ବୈଠକରେ ଯୋଗଦେଇ ଖାଦ୍ୟ ସଙ୍କଟ ଏବଂ ସହଯୋଗର ଅନ୍ୟାନ୍ୟ କ୍ଷେତ୍ର ସଂକ୍ରାନ୍ତରେ ଆଲୋଚନା କରିବେ ବୋଲି ମଙ୍ଗଳବାର ଦିନ ଜଣେ ଆମେରିକୀୟ ସରକାରୀ ଅଧିକାରୀ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଆମେରିକୀୟ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ହକିଛନ୍ତି ଯେ, ଜୁଲାଇ ୧୩ରୁ ୧୬ ତାରିଖ ମଧ୍ୟରେ ରାଷ୍ଟ୍ରପତି ବାଇଡେନ୍ଙ୍କ ମଧ୍ୟପ୍ରାଚ୍ୟ ଗସ୍ତ ସମୟରେ ୪ ଦେଶର ଭର୍ଚ୍ୟୁଆଲ୍ ଶିଖର ସମ୍ମିଳନୀ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ବେନେଟ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ମହମ୍ମଦ୍ ବିନ୍ ଜାୟେଦ୍ଙ୍କୁ ସାକ୍ଷାତ କରିବା ଲାଗି ରାଷ୍ଟ୍ରପତି ବାଇଡେନ୍ ଚାହିଁ ବସିଛନ୍ତି।