ଭାରତ ଯୋଡୋ ଯାତ୍ରା; ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀରେ କେବଳ ମହିଳାଙ୍କ ସହ ପଦଯାତ୍ରା କରିବେ ରାହୁଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରା ଏବେ ମହାରାଷ୍ଟ୍ରରେ ପହଞ୍ଚିଛି। ତେବେ ବର୍ତ୍ତମାନ ଏହି ଯାତ୍ରାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୧୯ ତାରିଖ ଦିନ ରାହୁଲ ଗାନ୍ଧି କେବଳ ମହିଳାଙ୍କ ସହ ଭାରତ ଯୋଡୋ ଯାତ୍ରା କରିବେ। ଦଳର ବରିଷ୍ଠ ନେତା ତଥା ପ୍ରଚାର ବିଭାଗ ସାଧାରଣ ସମ୍ପାଦକ ଜୟରାମ ରମେଶ ଗୁରୁବାର ଏହି ସୂଚନା ଦେଇଛନ୍ତି।

ଗଣମାଧ୍ୟମ ସହ ଆଲୋଚନାରେ ସେ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୧୯ ତାରିଖ ଦିନ କେବଳ ମହିଳା ମାନେ ରାହୁଲଙ୍କ ସହ ପଦଯାତ୍ରା କରିବେ। ସେ ଆହୁରି କହିଛନ୍ତି ଯେ, ୧୯ ନଭେମ୍ବର ଯାତ୍ରାର ଉଭୟ ଅଧିବେଶନ (ଭୋଜନ ପୂର୍ବ ଓ ମଧ୍ୟାହ୍ନ ଭୋଜନ ପରେ)ରେ କଂଗ୍ରେସ୍ ଓ ଦଳର ସମ୍ପର୍କିତ ଶାଖାଙ୍କ ମହିଳା କାର୍ଯ୍ୟକର୍ତ୍ତାମାନେ ପଦଯାତ୍ରାରେ ଭାଗ ନେବେ। ମହାରାଷ୍ଟ୍ର ଓ ଦେଶର ଅନ୍ୟ ଭାଗରେ ଥିବା ଦଳର ମହିଳା ଜନପ୍ରତିନିଧି ମଧ୍ୟ ସେଦିନ ପଦଯାତ୍ରାରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ନଭେମ୍ବର ୭ ତାରିଖ ଦିନ ମହାରାଷ୍ଟ୍ରରେ ପ୍ରବେଶ କରିଥିଲା। ଯାହା ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳ ଦେଇ ଆଗକୁ ବଢୁଛି। ନାନ୍ଦେଡ ଦେଇ ମହାରାଷ୍ଟ୍ରକୁ ଯାତ୍ରା ପ୍ରବେଶ କରିବା ପରେ ଯାତ୍ରା ହିଙ୍ଗୋଲୀ ଏବଂ ୱାସିମ ଜିଲ୍ଲା ଅତିକ୍ରମ କରିଛି। ଏବେ ଓକୋଲାରେ ପହଞ୍ଚିଥିବା ଯାତ୍ରା ବୁଲଢଣା ଜିଲ୍ଲା ଅତିକ୍ରମ କରିବା ପରେ ନଭେମ୍ବର ୨୦ ତାରିଖ ଦିନ ମଧ୍ୟପ୍ରଦେଶକୁ ପ୍ରବେଶ କରିବ। ତେବେ ମହାରାଷ୍ଟ୍ରରେ ମଧ୍ୟ ଯାତ୍ରାକୁ ଜନ ସମର୍ଥନ ମିଳିଛି। ରାଜ୍ୟରେ ଦଳର ସହଯୋଗୀ ଥିବା ଏନସିପି ଓ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଶିବସେନା ମଧ୍ୟ ଏହି ଯାତ୍ରାକୁ ସମର୍ଥନ କରିଛନ୍ତି। ଏନସିପି ପକ୍ଷରୁ ଦଳର ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଓ ଅନ୍ୟ ନେତା ମାନେ ଯୋଗ ଦେଇଥିବା ବେଳେ, ଶିବସେନା ପକ୍ଷରୁ ଉଦ୍ଧବଙ୍କ ପୁଅ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ରାହୁଲଙ୍କ ସହ ପଦଯାତ୍ରାରେ ଯୋଗ ଦେଇଥିଲେ।

Related Posts