ଭାରତ ଯୋଡୋ ଯାତ୍ରା; ମହାରାଷ୍ଟ୍ରରେ ରାହୁଲଙ୍କ ସହ ଯୋଗ ଦେବେନାହିଁ ଉଦ୍ଧବ ଠାକରେ, ଶରଦ ପାୱାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ମହାରାଷ୍ଟ୍ରରେ ପହଞ୍ଚିଛି। ସୋମବାର ରାତିରେ ରାହୁଲଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ନାନ୍ଦେଡର ଦେଗଲୁର ଦେଇ ମହାରାଷ୍ଟ୍ରକୁ ପ୍ରବେଶ କରିଥିଲା। ଏହି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ଯାତ୍ରାକୁ ରାଜ୍ୟ ସୀମାରେ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ବୁଧବାର ମହାରାଷ୍ଟ୍ରରେ ଏହି ଯାତ୍ରା ତୃତୀୟ ଦିନରେ ପହଞ୍ଚିଛି।

ତେବେ କଂଗ୍ରେସର ଏହି ଯାତ୍ରାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଯୋଗ ଦେବାକୁ ଦଳ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ଏହି ଯାତ୍ରାରେ ଉଭୟ ଉଦ୍ଧବ ଠାକରେ ଓ ଶରଦ ପାୱାର ଯୋଗ ଦେବେନାହିଁ ବୋଲି ଜଣାପଡିଛି। ଉଦ୍ଧବ ଯୋଗ ଦେବେନାହିଁ ବୋଲି ପୂର୍ବରୁ ସ୍ଥିର ହୋଇଥିବା ବେଳେ ଶରଦ ପାୱାର ଏହି ଯାତ୍ରାରେ ଯୋଗ ଦେବାର ଥିଲା ମାତ୍ର ସ୍ବାସ୍ଥ୍ୟଗତ କାରଣରୁ ସେ ମଧ୍ୟ ଏହି ଯାତ୍ରାରେ ଯୋଗ ଦେବେନାହିଁ।

ତେବେ ଉଦ୍ଧବଙ୍କ ପକ୍ଷରୁ ତାଙ୍କ ପୁଅ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେବେ ବୋଲି ଜଣାପଡିଥିବା ବେଳେ ଏବେ ଏନସିପି ପକ୍ଷରୁ ମହାରାଷ୍ଟ୍ର ପ୍ରଦେଶ ସଭାପତି ଜୟନ୍ତ ପାଟିଲ,ସାଂସଦ ସୁପ୍ରିୟା ସୁଲେ, ଜିତେନ୍ଦ୍ର ଆଭାହଡ ଓ ରାଜେଶ ଟୋପେ ଆଦି ସାମିଲ ହେବ ବୋଲି ଜଣାପଡିଛି। ଭାରତ ଯୋଡୋ ଯାତ୍ରା ମହାରାଷ୍ଟ୍ର ସୀମାକୁ ପ୍ରବେଶ ପରଠାରୁ ପ୍ରଦେଶ କଂଗ୍ରେସରେ ଉତ୍ସାହ ଖେଳିଯାଇଛି। ରାଜ୍ୟ କଂଗ୍ରେସର ବଡ଼ ବଡ଼ ନେତାମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଭାରତ ଯୋଡୋ ଯାତ୍ରା କାଳରେ ଅନୁଷ୍ଠିତ ହେବାକୁ ଯାଉଥିବା ଜନସଭାରେ କଂଗ୍ରେସର ସହଯୋଗୀ ଏନସିପି ନେତା ଶରଦ ପାୱାର ସମ୍ବୋଧିତ କରିବେ ବୋଲି କୁହାଯାଉଥିଲା। ତେବେ ତାଙ୍କ ଝିଅ ସୁପ୍ରିୟା ସୁଲେ ସ୍ୱାସ୍ଥ୍ୟଗତ କାରଣ ଲାଗି ଶରଦ ପାୱାର ଜନସମାବେଶରେ ଭାଗ ନେଇ ପାରୁନଥିବା କହିଛନ୍ତି। ହେଲେ ଦଳ ପକ୍ଷରୁ ଅନ୍ୟ ବଡ ନେତାମାନେ ଭାଗ ନେବେ ବୋଲି ସେ କହିଛନ୍ତି। ଏହା ଛଡା ରାଜେନ୍ଦ୍ର ଶିଙ୍ଗଣେ ବୁଲଢଣାରୁ ଓ ହିଙ୍ଗୋଲୀରୁ ରୋହିତ ପାୱାର ଯାତ୍ରାରେ ସାମିଲ ହେବେ ବୋଲି ସୁପ୍ରିୟା ସୁଲେ କହିଛନ୍ତି।

ତେବେ ରାହୁଲ ଗାନ୍ଧିଙ୍କ ଗୁରୁବାର ଜନସମାବେଶରେ ଶରଦ ପାୱାର ସାମିଲ ହୁଅନ୍ତୁ କି ନ ହୁଅନ୍ତୁ ୧୧ ନଭେମ୍ବର ସଭାରେ ନିଶ୍ଚିତ ଯୋଗ ଦେବେ ବୋଲି କଂଗ୍ରେସ ନେତା ତଥା ପାର୍ଟିର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ଅଶୋକ ଚୌହାନ କହିଛନ୍ତି। ସେହିପରି ବ୍ୟସ୍ତ କାର୍ଯ୍ୟକ୍ରମ ଯୋଗୁ ଭାରତ ଯୋଡୋ ଯାତ୍ରାରେ ଉଦ୍ଧବ ଠାକରେ ରାହୁଲଙ୍କ ସାଥ ଦେଇ ପାରୁନଥିବା ମଧ୍ୟ ଜଣାପଡିଛି। ତେବେ କାର୍ଯ୍ୟକ୍ରମରେ ଉଦ୍ଧବଙ୍କ ପକ୍ଷରୁ ତାଙ୍କ ପୁଅ ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ଆଦିତ୍ୟ ଠାକରେ ଯୋଗ ଦେଉଥିବାର ଜଣାପଡିଛି।

ରାହୁଲ ଗାନ୍ଧି ଭାରତ ଯୋଡୋ ଯାତ୍ରାରେ ମହାରାଷ୍ଟ୍ରର ନାନ୍ଦେଡ, ହିଙ୍ଗୋଲୀ, ୱାସିମ, ଅକୋଲା ଓ ବୁଲଢଣା ଆଦି ଜିଲ୍ଲାର ୩୮୪ କିଲୋମିଟର ଯାତ୍ରା କରିବେ। ରାହୁଲ ଗାନ୍ଧି ଏହି ଯାତ୍ରା ମାଧ୍ୟମରେ ପୁରା ଭାରତରେ ମୋଟ ୩ହଜାର ୫୦୦ କିଲୋମିଟର ଯାତ୍ରା କରିବେ। କନ୍ୟାକୁମାରୀ ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କାଶ୍ମୀରରେ ଶେଷ ହେବ।

Related Posts