ଲିଗ୍ ପର୍ଯ୍ୟାୟରେ ଭାରତ ଅପରାଜୟ; ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା ଟିମ୍ ଇଣ୍ଡିଆ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚଳିତ ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରେ ଅପରାଜୟ ରହିଲା ଭାରତ । ରବିବାର ଟିମ୍‌ ଇଣ୍ଡିଆ ନେଦରଲାଣ୍ଡ ବିପକ୍ଷରେ ୧୬୦ ରନରେ ବିଜୟ ହାସଲ କରି କୋଟି କୋଟି ଭାରତୀୟମାନଙ୍କୁ ଦୀପାବଳି ଉପହାର ଦେଇଛି। ଚଳିତ ବିଶ୍ବକପ୍‌ରେ ଖେଳିଥିବା ସମସ୍ତ ଲିଗ୍‌ ମ୍ୟାଚରେ ବିଜୟୀ ହେବା ସହିତ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍‌ ନେଦରଲାଣ୍ଡକୁ ୪୭.୫ ଓଭରରେ ଅଲ୍‌ଆଉଟ୍‌ କରିଛି।୪୧୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନେଦରଲାଣ୍ଡ ଟିମ୍‌ ୨୫୦ ରନ୍‌ରେ ଅଟକି ଯାଇଛି ।

ଚେନ୍ନାଇର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ନେଦରଲାଣ୍ଡର ବ୍ୟାଟରଙ୍କ ଆଗରେ ୪୧୧ ରନର ବିରାଟ ଲକ୍ଷ୍ୟ ଥିବାରୁ ସେମାନେ ଚାପଗ୍ରସ୍ତ ହୋଇ ବ୍ୟାଟିଂ କରିଥିଲେ। ଦଳ ପାଇଁ ତେଜା ନିଦାମନରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୫୪ ରନ୍‌ କରିଥିଲେ। ସେ ୩୯ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ୬ଟି ଛକା ମାରିଥିଲେ। ସିବ୍ରାଣ୍ଡ ଏଙ୍ଗେଲବ୍ରେଚ୍‌ଟ ୮୦ଟି ବଲ୍‌ ଖେଳି ୪ଟି ଚୌକା ସହାୟତାରେ ୪୫ ରନ୍‌ କରିଥିଲେ। କୋଲିନ ଏକେମାନ୍‌ ୩୫ ରନ୍‌ କରିଥିବା ବେଳେ ଅନ୍ୟ ବ୍ୟାଟରମାନେ ବ୍ୟକ୍ତିଗତ ଭାବେ ୨୦ ରନ୍‌ ସଂଗ୍ରହ କରିପାରି ନଥିଲେ।

ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳିମାନେ ଆଜି ଉଭୟ ବ୍ୟାଟିଂ ଓ ବୋଲିଂରେ ଚମକପ୍ରଦ ପ୍ରଦର୍ଶନ କରିଥିଲେ। ଭାରତୀୟ ବ୍ୟାଟରମାନେ ଆଜି ଚମକପ୍ରଦ ବ୍ୟାଟିଂ କରିଥିଲେ। ପ୍ରଥମତଃ ରୋହିତ ଶର୍ମା ଓ ଶୁବମନ ଗିଲ ପ୍ରଥମ ୱିକେଟ୍‌ରେ ଶତକୀୟ ରନ୍‌ ଭାଗିଦାରୀ କରିଥିଲେ। ଦ୍ବିତୀୟତଃ ଚତୁର୍ଥ ୱିକେଟ୍‌ରେ ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ୨୦୮ ରନ୍‌ର ଭାଗିଦାରୀ କରିପାରିଥିଲେ। ଶ୍ରେୟସ ଆୟର ଅପରାଜିତ ୧୨୮ ରନ୍‌ କରିଥିଲେ। ସେ ୯୪ଟି ବଲ୍‌ ଖେଳି ୧୦ଟି ଚୌକା ଓ ୫ଟି ଛକା ମାରିଥିଲେ। ସେହିପରି କେଏଲ୍‌ ରାହୁଲ ଆଉଟ୍‌ ହୋଇ ପାଭିଲିଅନକୁ ଯିବା ପୂର୍ବରୁ ୬୪ଟି ବଲ୍‌ ଖେଳି ୧୧ଟି ଚୌକା ଓ ୪ଟି ଛକା ବଳରେ ୧୦୨ ରନ୍‌ କରିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍‌ ହରାଇ ୪୧୦ ରନ୍‌ କରିଥିଲା।

Related Posts