ଭାରତ ବନାମ ନ୍ୟୁଜଲାଣ୍ଡ; ଭାଙ୍ଗିଲା ବିଶ୍ୱକପରେ ୨୦ ବର୍ଷର ପରାଜୟ ଧାରା, ସାମି ଓ ବିରାଟ ଜିତାଇଲେ ମ୍ୟାଚ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଲୋମଟାଙ୍କୁରା ମୁକାବିଲା ଏବଂ ଉତ୍କଣ୍ଠାପୂର୍ଣ୍ଣ ପରିସ୍ଥିତିରେ ଭାରତୀୟ ଦଳ ଚଳିତ ବିଶ୍ବକପ୍‌ରେ ପଞ୍ଚମ ବିଜୟ ହାସଲ କରିଛି। ସେମିଫାଇନାଲ୍ ପ୍ରବେଶ ପାଇଁ ଗୋଟିଏ ପାଦ ବଢ଼ାଇ ଦେଇଛି। ରବିବାର ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମୁକାବିଲାରେ ଭାରତ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨୦୧୯ ସେମିଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି।

ଏଥିସହିତ ଭାରତ ମଧ୍ୟ ଦୀର୍ଘ ୨୦ ବ‌ର୍ଷ ପରେ ନ୍ୟୁଜିଳାଣ୍ଡ୍‌ ବିପକ୍ଷରେ ଏକ ବିଶ୍ବକପ୍‌ ମ୍ୟାଚ୍‌ ଜିତି ପରାଜୟ ଧାରାକୁ ଭାଙ୍ଗିବାରେ ସକ୍ଷମ ହୋଇଛି। ଶେଷ ଥର ପାଇଁ ଭାରତ ୨୦୦୩ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଥିଲା। ପ୍ରତ୍ୟାବର୍ତ୍ତନରେ ମହମ୍ମଦ ସାମିଙ୍କ ୫ ୱିକେଟ୍ ସଫଳତା ପରେ ବିରାଟ କୋହଲିଙ୍କ ଲଢ଼ୁଆ ୯୫ ରନ୍‌ ଭାରତର ବିଜୟକୁ ସୁଗମ କରିଥିଲା। ଦୁଇ ଓଭର ପୂର୍ବରୁ ଭାରତ ୬ ୱିକେଟ୍ ହରାଇ ୨୭୪ ରନ୍ ସଂଗ୍ରହ କରି‌ ନେଇଥିଲା। ବିଶ୍ବକପ୍‌ ମଞ୍ଚକୁ ଫେରିବାର ପ୍ରଥମ ମ୍ୟାଚ୍‌ରେ ମହମ୍ମଦ ସାମି ୫ ୱିକେଟ୍ ଦଖଲ କରିଥିବାରୁ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍‌ ଅକ୍ଟୋବର ୨୯ରେ ଇଂଲଣ୍ଡ ସହ ଲକ୍ଷ୍ନୌରେ ଖେଳିବ। ୨୭୪ ରନ୍‌କୁ ପିଛା କରିଥିବା ଭାରତ ପାଇଁ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ୧୧ ଓଭରରେ ୭୧ ରନ୍‌ କରି ଦୃଢ଼ ମୂଳଦୁଆ ପକାଇଥିଲେ।

ରୋହିତ ପାୱାର ପ୍ଲେ ଭିତରେ ତାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଜାରି ରଖିଥିଲେ। କିନ୍ତୁ ଲୋକି ଫର୍ଗୁସନ୍‌ଙ୍କ ଦ୍ବାରା ବୋଲ୍ଡ ହୋଇ ରୋହିତ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ତଥାପି ୪୦ ବଲ୍‌ରୁ ୪୬ ରନ୍ ପାଳି ଭିତରେ ରୋହିତ ୪ ଚୌକା ଓ ୪ ଛକା ମାରି ଧର୍ମଶାଳା ପ୍ରଶଂସକଙ୍କୁ ମନୋରଂଜନର ଖୋରାକ ଯୋଗାଇ ଦେଇଥିଲେ। ନିଜର ପରବର୍ତ୍ତୀ ଓଭରରେ ଫର୍ଗୁସନ୍‌ ମଧ୍ୟ ଗିଲ୍‌ଙ୍କୁ ଦ୍ବିତୀୟ ଶିକାର କରିଥିଲେ। ବାଂଲାଦେଶ ବିପକ୍ଷ ଅର୍ଦ୍ଧଶତକ ପରେ ଏଥର ଗିଲ୍ (୨୬ ରନ୍, ୩୧ ବଲ୍‌) ଆଗକୁ ବଢ଼ି ପାରିନଥିଲେ। ଏହା ପରେ ବିରାଟ କୋହଲି ଶାନ୍ତ ସ୍ବଭାବରେ ‌ଖେଳି ୬୦ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ସହ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ। ମଧ୍ୟକ୍ରମରେ ଶ୍ରେୟସ ଆୟର (୩୩), କେଏଲ୍ ରାହୁଲ (୨୭) ଆଉଟ୍‌ ହୋଇଯିବାରୁ ଚାପ ପଡ଼ିଥିଲା। ବିରାଟ କୋହଲିଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ପ୍ରଥମ ବିଶ୍ବକପ୍‌ ମ୍ୟାଚ୍‌ ପାଇଥିବା ସୂର୍ଯ୍ୟକୁମାର ଯାଦବ (୨) ରନ୍‌ ଆଉଟ୍ ହୋଇଯାଇଥିଲେ। ଭାରତ ହଠାତ ୧୯୧/୫ରେ ପହଞ୍ଚିବାରୁ ଚାପ ବଢ଼ିଥିଲା। ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡ଼େଜା ଷଷ୍ଠ ୱିକେଟ୍‌ ପାଇଁ ୭୮ ରନ୍‌ ଯୋଡ଼ି ଭାରତକୁ ବିଜୟ ମୁହଁରେ ପହଞ୍ଚାଇ ଦେଇଥିଲେ। ଗତ ବାଂଲାଦେଶ ମ୍ୟାଚ୍‌ ଭଳି କୋହଲି ଶତକ ସହ ଭାରତର ବିଜୟ ମୁଣ୍ଡି ମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ମ୍ୟାଟ୍ ହେନରିଙ୍କ ବୋଲିଂରେ ଗ୍ଲେନ୍ ଫିଲିପ୍ସଙ୍କୁ କ୍ୟାଚ୍‌ ଦେଇ ନିରାଶ ହୋଇଥିଲେ। ତଥାପି କିଙ୍ଗ୍ କୋହଲି ୧୦୪ ବଲ୍‌ରୁ ୮ ଚୌକା ଓ ୨ ଛକା ସହାୟତାରେ ୯୫ ରନ୍‌ କରି ମ୍ୟାଚ୍‌ ବିଜେତା ସାବ୍ୟସ୍ତ‌ ହୋଇଥିଲେ।

Related Posts