ଭାରତ ବନାମ ବାଂଲାଦେଶ; ବୋଲିଂ ବେଳେ ଆହତ ହେଲେ ହାର୍ଦ୍ଦିକ, ଓଭର ପୂର୍ଣ୍ଣ କଲେ କୋହଲି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କ୍ରିକେଟ ବିଶ୍ବକପ ୨୦୨୩ର ୧୭ତମ ଲିଗ୍‌ ମ୍ୟାଚ୍‌ ଜାରି ରହିଛି । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ବାଂଲାଦେଶକୁ ଭେଟିଛି ଭାରତ । ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଟିମକୁ ଲାଗିଛି ଝଟକା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ନିଜର ପ୍ରଥମ ଓଭର ବୋଲିଂ କରୁଥିବା ସମୟରେ ବାମ ପାଦରେ ତାଙ୍କୁ ଆଘାତ ଲାଗିଛି । ସେ ୩ଟି ବଲ୍‌ ପକାଇଥିବା ବେଳେ ବାକି ୩ଟି ବଲ୍‌ ବିରାଟ କୋହଲି ପକାଇ ଓଭର ସମ୍ପୂର୍ଣ୍ଣ କରିଛନ୍ତି ।

ହାର୍ଦ୍ଦିକ ୯ ନମ୍ବର ଓଭର୍‌ ବୋଲିଂ କରିଥିଲେ । ତେବେ ୩ ନମ୍ବର ବଲ୍‌ ପକାଇବା ପରେ ବାଂଲାଦେଶ ବ୍ୟାଟର୍‌ ଲିଟନ ଦାସ ଷ୍ଟ୍ରେଟ ଡ୍ରାଇଭ ମାରିଥିଲେ । ଏହି ସମୟରେ ହାର୍ଦ୍ଦିକ ନିଜ ଡାହାଣ ଗୋଡ଼ରେ ବଲ୍‌କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଆହତ ହୋଇଛନ୍ତି । ତାଙ୍କ ବାମ ଗୋଡ଼ ମୋଡ଼ି ହୋଇଯିବାରୁ ଚାଲିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । କିଛି ସମୟ ହାର୍ଦ୍ଦିକ ଗ୍ରାଉଣ୍ଡରେ ଚାଲିବା ଅଭ୍ୟାସ କରିଥିଲେ । ମାତ୍ର ବୋଲିଂ କରିବା ସମ୍ଭବ ନ ହେବା ପରେ ବାକି ୩ଟି ବଲ୍‌ ଫିଙ୍ଗିଥିଲେ ଭାରତୀୟ ବ୍ୟାଟର୍‌ ବିରାଟ କୋହଲି ।

ହାର୍ଦ୍ଦିକ ପ୍ରଥମ ୩ଟି ବଲ୍‌ରେ ପ୍ରଥମ ବଲ୍‌ଟି ଡଟ୍‌ ବଲ୍‌ ଥିବା ସମୟରେ ୨ୟ ଓ ୩ୟ ବଲ୍‌ରେ ଚୌକା ମାରିଥିଲେ ବାଂଲାଦେଶ ବ୍ୟାଟର ଲିଟନ୍‌ । ଏହାପରେ କୋହଲି ୩ଟି ବଲ୍‌ ବୋଲିଂ କରିଥିବା ବେଳେ ସେଥିରେ ଗୋଟିଏ ଡଟ୍‌ ବଲ୍‌ ଥିବା ବେଳେ ୨ ରନ ଦେଇଥିଲେ । ଏହାପରେ ହାର୍ଦ୍ଦିକ ଫିଲ୍ଡିଂ କରିବା ମଧ୍ୟ ସମ୍ଭବପର ହୋଇନଥିବା ବେଳେ ତାଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ ଫିଲ୍ଡିଂ କରିଛନ୍ତି । ହେଲେ ଯେତେବେଳେ କୋହଲି ବୋଲିଂ ପାଇଁ ଆସିଥିଲେ, ସେତେବେଳେ ଦର୍ଶକ ତାଙ୍କୁ ଚିଅର୍‌ କରିଥିବା ଦେଖିବାକୁ ମିଳିଥିଲା ।

ସୂଚନା ଥାଉ କି ଚଳିତ ବିଶ୍ବକପରେ ବାଂଲାଦେଶ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଆଜି ଭାରତକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ଟିମ୍‌ । ଭାରତ ଓ ବାଂଲାଦେଶ ମଧ୍ୟରେ ୪ଟି ବିଶ୍ବକପ୍‌ ମ୍ୟାଚ ଖେଳାଯାଇଛି । ଭାରତ ୩ଟି ମ୍ୟାଚ୍‌ ଜିତିଥିବାବେଳେ ବାଂଲାଦେଶ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଛି ।

Related Posts