
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍ନୀ ଟେଷ୍ଟ ମ୍ୟାଚ୍ ବର୍ଷା ଯୋଗୁଁ ଡ୍ର’ରେ ଶେଷ ହେଲା । ଟିମ୍ ଇଣ୍ଡିଆ ଚାରି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍ 2-1ରେ ନିଜ ନାମରେ କରିନେଲା । ଏଥିସହ ଭାରତ ଅଷ୍ଟ୍ରେଲିଆ ମାଟିରେ ରଚିଲା ଇତିହାସ । ଭାରତ 72 ବର୍ଷ ପରେ କଙ୍ଗାରୁଙ୍କୁ ତାଙ୍କ ଘରେ ମାତ୍ ଦେଲା ।
ଭାରତ ଅଷ୍ଟ୍ରେଲିଆ ମାଟିରେ 72 ବର୍ଷରେ ପ୍ରଥମ ଥର କୌଣସି ଟେଷ୍ଟ ସିରିଜ୍ ଜିତିଲା । ସ୍ବାଧୀନତା ପରେ ପ୍ରଥମ ଥର କୌଣସି ଭାରତୀୟ ଟିମ୍ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତିବାରେ ସଫଳ ହେଲା । ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଇତିହାସର ସ୍ବର୍ଣ୍ଣିମ ପୃଷ୍ଠାରେ ନିଜ ନାଁ ଲିପିବଦ୍ଧ କରାଗଲା । କାରଣ ପ୍ରଥମ ଥର ଏହି ଦୁଇ ଦେଶ ଭିତରେ ଯେତେବେଳେ ଟେଷ୍ଟ ସିରିଜ୍ ଖେଳାଯାଇଥିଲା ସେତେବେଳେ ଏବେ ଖେଳୁଖିବା ଭାରତୀୟ ଖେଳାଳି ଜନ୍ମ ହିଁ ହୋଇନଥିଲେ ।
ଭାରତ ଆଡିଲେଡ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ 31 ରନ୍ରେ ଜିତିଥିଲା । ପର୍ଥରେ ହୋଇଥିବା ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତକୁ 146 ରନ୍ରେ ହରାଇ ସିରିଜ୍କୁ ଫେରିଥିଲା । କିନ୍ତୁ ମେଲବର୍ଣ୍ଣରେ ବିରାଟ ସେନା ପାଲଟା ଆକ୍ରମଣ କରି କଙ୍ଗାରୁଙ୍କୁ 137 ରନ୍ରେ ହରାଇ ଟେଷ୍ଟ ସିରିଜ୍ରେ 2-1ରେ ଆଗୁଆ ହେଲା । ସିଡ୍ନୀରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ଡ୍ର ରହିବାରୁ ଟିମ୍ ଇଣ୍ଡିଆ 2-1ରେ ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ ଜିତିଲା ଟେଷ୍ଟ ସିରିଜ୍ ।