ମଧ୍ୟପ୍ରଦେଶର ମୁରୈନାରେ ଭାରତୀୟ ବାୟୁସେନାର ସୁଖୋଇ-୩୦ ଓ ମିରାଜ୍‌ ୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ; ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ଶନିବାର ମଧ୍ୟପ୍ରଦେଶର ମୁରୈନା ନିକଟରେ ଭାରତୀୟ ବାୟୁସେନାର ଗୋଟିଏ ସୁଖୋଇ-୩୦ ଓ ଗୋଟିଏ ମିରାଜ୍‌ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ‘ଦିଲ୍ଲୀ ଡିଫେନ୍‌ସ୍‌ ରିଭ୍ୟୁ’ ଟୁଇଟ୍‌ କରି ସୂଚନା ଦେଇଛି।

ତେବେ ତାଲିମ ଅଭ୍ୟାସ ନିମନ୍ତେ ଭାରତୀୟ ବାୟୁସେନାର ଏହି ଦୁଇ ବିମାନ ଗୋଆଲିୟର୍‌ସ୍ଥିତ ମହାରାଜପୁର ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଦୁଇଟି ବିମାନ ଦୁର୍ଘଟଣାର ଶିକାର ହୋଇଥିବା ଖବର ମିଳିବା ପରେ ପରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏହାସହିତ ବିମାନ ଦୁର୍ଘଟଣା ଆକାଶରେ ହୋଇଛି କି, ନାହିଁ ଜାଣିବା ଲାଗି ଭାରତୀୟ ବାୟୁସେନା ‘କୋର୍ଟ ଅଫ୍‌ ଇନ୍‌କ୍ବାରି’ ଆଦେଶ ଦେଇଛି।

ଦୁର୍ଘଟଣା ନେଇ ମୁରୈନା ଜିଲ୍ଲାପାଳ କହିଛନ୍ତି ଯେ, ଭୋର୍‌ ୫.୩୦ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ପାଇଲଟଙ୍କୁ ନିରାପଦରେ ସୁଖୋଇ-୩୦ ବିମାନରୁ ବାହାର କରାଯାଇଛି। ସେମାନଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଛି। ଏସ୍‌.ପି.ଙ୍କ ସହିତ ଦୁର୍ଘଟଣାସ୍ଥଳକୁ ଯାଉଛି। ସମଗ୍ର ଅଞ୍ଚଳକୁ କର୍ଡନ୍‌ କରାଯାଇଛି। ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ହାଜର ହୋଇଛି। ଅଗ୍ନିଶମ ବାହିନୀ ମଧ୍ୟ ପଠାଯାଇଛି।

ମୁରୈନା ଡେପୁଟି କଲେକ୍ଟର୍‌ ଅଙ୍କିତ ଅସ୍ଥାନା କହିଛନ୍ତି ଯେ, ପାଇଲଟ୍‌ଙ୍କୁ ଠାବ କରାଯାଇଛି ଉଦ୍ଧାର ଅଭିଯାନ ନିମନ୍ତେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ଅଛନ୍ତି। ସାମାନ୍ୟ ଆହତ ହୋଇଥିବା ପାଇଲଟ୍‌ ଦୁହେଁ ବିପଦମୁକ୍ତ ଅଛନ୍ତି।

ରିପୋର୍ଟ ଅନୁସାରେ, ଦୁର୍ଘଟଣା ସଂକ୍ରାନ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ‘ସିଡିଏସ୍‌’ ଓ ବାୟୁସେନା ମୁଖ୍ୟଙ୍କଠାରୁ ସଦ୍ୟତମ ସୂଚନା ସଂଗ୍ରହ କରୁଛନ୍ତି।

Related Posts