
ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ସନାତନ ଧର୍ମ ହେଉଛି ଭାରତର ରାଷ୍ଟ୍ରୀୟ ଧର୍ମ। ପ୍ରତ୍ୟେକ ଭାରତୀୟ ସେଥି ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ ବୋଲି ଶୁକ୍ରବାର ରାଜସ୍ଥାନର ଭିନ୍ମଲ୍ରେ ଅବସ୍ଥିତ ନୀଳକଣ୍ଠ ମହାଦେବ ମନ୍ଦିର ମରାମତି ଓ ବିଗ୍ରହ ସ୍ଥାପନ ଉତ୍ସବ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।
କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ, ଅପବିତ୍ରୀକରଣ ହୋଇଥିବା କିମ୍ବା ଧ୍ବଂସ କରାଯାଇଥିବା ଧର୍ମପୀଠଗୁଡ଼ିକୁ ଅଯୋଧ୍ୟାର ରାମ ମନ୍ଦିର ଭଳି ପୁନଃସଂସ୍ଥାପନ କରିବା ଲାଗି ଅଭିଯାନ ଚଳାନ୍ତୁ। ଏହି ଅବସରରେ ସେ ଆହୁରି କହିଛନ୍ତି ଯେ, ସନାତନ ଧର୍ମ ହେଉଛି ଭାରତର ରାଷ୍ଟ୍ରୀୟ ଧର୍ମ। ଆମେ ସ୍ବାର୍ଥରୁ ଊର୍ଦ୍ଧ୍ବକୁ ଉଠି ପାରିଲେ ରାଷ୍ଟ୍ରୀୟ ଧର୍ମ ସହିତ ଯୋଡ଼ି ହୋଇଯାଉ। ରାଷ୍ଟ୍ରୀୟ ଧର୍ମ ସହିତ ଯୋଡ଼ି ହୋଇପାରିଲେ ଆମ ଦେଶ ସୁରକ୍ଷିତ ରହିବ। ସେ ଆହୁରି କହିଛନ୍ତି ଯେ, ଐତିହ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରି ତାହାକୁ ସଂରକ୍ଷଣ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦେଶବାସୀଙ୍କୁ ଶପଥ କରାଇଛନ୍ତି। ୧୪୦୦ ବର୍ଷ ପରେ ପ୍ରଭୁ ନୀଳକଣ୍ଠଙ୍କ ମନ୍ଦିର ପୁନଃରୁଦ୍ଧାର କରାଯିବା ଐତିହ୍ୟ ପ୍ରତି ସମ୍ମାନ ଓ ସୁରକ୍ଷାର ପ୍ରକୃଷ୍ଟ ଉଦାହରଣ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ମଧ୍ୟ ଯୋଗଦେଇଥିଲେ ଓ ଉଭୟ ନେତା ରୁଦ୍ରାକ୍ଷ ଚାରା ରୋପଣ କରିଥିଲେ।
ତେବେ ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟ ଉପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ଉଦିତ ରାଜ ଟୁଇଟ୍ କରି ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଲେ ସନାତନ ଧର୍ମ ଭାରତର ରାଷ୍ଟ୍ରୀୟ ଧର୍ମ। ଏହାର ଅର୍ଥ ହେଉଛି ଶିଖ୍, ଜୈନ, ବୌଦ୍ଧ, ଖ୍ରୀଷ୍ଟ ଏବଂ ଇସ୍ଲାମ୍ ଧର୍ମ ନିଃଶେଷ ହୋଇଗଲା।