କରୋନାକୁ ନେଇ ଭାରତୀୟ ସେନା ସଜାଗ; ଯବାନଙ୍କ ପାଇଁ ଜାରି କଲା ଆଡଭାଇଜରୀ

ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ସାରା ବିଶ୍ବରେ ଏବେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି । ମାସ୍କ ପିନ୍ଧିବା ଏବଂ କୋଭିଡ ନିର୍ଦ୍ଦେଶନାମା ଅନୁସରଣ କରିବାକୁ ସରକାର ଲୋକଙ୍କୁ ଅନୁରୋଧ କରୁଛନ୍ତି । ସେପଟେ ଭାରତୀୟ ସେନା ମଧ୍ୟ ଯବାନମାନଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି ।

ଏଥିରେ ଯବାନମାନଙ୍କୁ ମାସ୍କ ପିନ୍ଧିବା ଏବଂ ହାତ ଧୋଇବା ଭଳି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଆଉ ଯଦି ଲକ୍ଷଣ ଦେଖାଯାଏ ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ । ଭାରତୀୟ ସେନାର ଆଡଭାଇଜରି ଅନୁଯାୟୀ, ଲକ୍ଷଣ ଥିବା ସମସ୍ତ ଲୋକଙ୍କର କୋଭିଡ୍-୧୯ ପରୀକ୍ଷା କରାଯିବ ଏବଂ ଯେଉଁମାନେ ପଜିଟିଭ୍ ଆସିବେ ସେମାନଙ୍କୁ ୭ ଦିନ ପାଇଁ ସଂଗରୋଧରେ ରଖାଯିବ । ଗମ୍ଭୀର ଅସୁସ୍ଥତା ଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ।

ସୂଚନାଥାଉକି, ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୩ ଟି ନୂଆ କରୋନା ରୋଗ ହୋଇଥିଲା ଏବଂ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ସହିତ ଦେଶରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ୬୯୦ରେ ପହଞ୍ଚିଛି । ତେବେ ସକ୍ରିୟ ମାମଲା ସଂଖ୍ୟା ୩୩୮୦ କୁ ଖସି ଆସିଛି, ଯାହାକି ଦେଶରେ ମୋଟ ମାମଲାର ୦.୦୧ ପ୍ରତିଶତ ଅଟେ । ସେହଭଳି ଗତ ୨୪ ଘଣ୍ଟା ମଧ୍ୟରେ ୧୭୬ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭାରତରେ ପୁନରୁଦ୍ଧାର ହାର ୯୮.୮୦ ପ୍ରତିଶତ ।

ଏହା ବ୍ୟତୀତ କେନ୍ଦ୍ର ସରକାର ଆଜି ଶୁକ୍ରବାର ଦିନ ବୁଷ୍ଟର ଡୋଜ ପାଇଁ ଭାରତ ବାୟୋଟେକର ଛୁଞ୍ଚିମୁକ୍ତ ଇଣ୍ଟ୍ରାନାଜାଲ କୋଭିଡ ଟିକାକୁ ଅନୁମୋଦନ କରିଛନ୍ତି । ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ନାଜାଲ ଭ୍ୟାକସିନ୍ ଅନୁମୋଦନ କରାଯାଇଛି । ଘରୋଇ ଡାକ୍ତରଖାନା ଗୁଡ଼ିକରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବୁଷ୍ଟର ଡୋଜ ପାଇଁ ଟିକା ଉପଲବ୍ଧ ହେବ ।

Related Posts