ଅରବିନ୍ଦଙ୍କ ଟ୍ୱିଟ ପରେ ସିଙ୍ଗାପୁର ଖପ୍ପା, ବିଦେଶ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ କେଜ୍ରିୱାଲ ଭାରତ ସରକାରଙ୍କ ମୁଖପାତ୍ର ନୁହଁନ୍ତି

jaishnaker

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନକୁ ଲକ୍ଷ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ୱିଟ ବର୍ତ୍ତମାନ ବିବାଦ ଘେରରେ । କେଜ୍ରିୱାଲଙ୍କ ମତାମତ ପରେ ସିଙ୍ଗାପୁର ସହ ଫାଟ ସୃଷ୍ଟି ହେବା ପୂର୍ବରୁ ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, କେଜ୍ରିୱାଲ ଭାରତର ପ୍ରତିନିଧିତ୍ୱ କରନ୍ତି ନାହିଁ । ଦୁଇଦେଶ ମଧ୍ୟରେ ରହିଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କରେ ଏହା ଦ୍ୱାରା କୌଣସି ପ୍ରଭାବ ପଡିବ ନାହିଁ । ଏହା ସହ ଉଭୟ ଭାରତ ଏବଂ ସିଙ୍ଗାପୁର କୋଭିଡ ବିରୋଧରେ ମିଳିତ ଭାବରେ ଲଢେଇ କରିଛନ୍ତି । ଏକ ଲଜିଷ୍ଟିକ ହବ ଓ ଅମ୍ଳଜାନ ଯୋଗାଣକାରୀ ଭାବରେ ସିଙ୍ଗାପୁରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପଟେ ଭାରତର ସହଯୋଗ କରିବାକୁ ଯାଇ ସିଙ୍ଗାପୁର ସାମରୀକ ଯୁଦ୍ଧ ବିମାନ ମୁତୟନ କରିବା ହିଁ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଉଛି । ଦାୟିତ୍ୱହୀନ ମନ୍ତବ୍ୟ ଦେଉଥିବା ଲୋକମାନେ ଭଲ ଭାବରେ ବୁଝିବା ଦରକାର କି ସେମାନଙ୍କର ମନ୍ତବ୍ୟ ପାଇଁ ଦୀର୍ଘ ଦିନର ବନ୍ଧୁତାରେ ଫାଟ ସୃଷ୍ଟି ହୋଇପାରେ । ତେଣୁ ମୁଁ ଏଠାରେ ସ୍ପଷ୍ଟିକରଣ କରିବାକୁ ଚାହେଁ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମତାମତ ଭାରତର ବକ୍ତବ୍ୟ ନୁହେଁ ବୋଲି ଏସ ଜୟଶଙ୍କର ଟ୍ୱିଟ କରି କହିଛନ୍ତି ।

ଏ ସବୁ ଆରମ୍ଭ ହୋଇଥିଲା କେଜ୍ରିୱାଲଙ୍କ ଗୋଟିଏ ଟ୍ୱିଟରୁ । ତେବେ କେଜ୍ରିୱାଲ ସିଙ୍ଗାପୁରରେ ଦେଖାଦେଇଥିବା ନୂଆ ଭାରିଆଣ୍ଟ ଅଧିକ ମାରାତ୍ମକ ହେବା ସହ ଶିଶୁମାନଙ୍କୁ ଅଧିକ ଆକ୍ରାନ୍ତ କରୁଛି ବୋଲି କହିଥିଲେ । ଏହା ସହ ଭାରତ ସିଙ୍ଗାପୁର ସହ ବିମାନ ଚଳାଚଳ ବନ୍ଦ କରୁ ବୋଲି ଦାବି କରିଥିଲେ । ଏନେଇ ସିଙ୍ଗାପୁର ସରକାର କ୍ଷୋଭ ପ୍ରକାଶ କରିବା ସହ ସିଙ୍ଗାପୁରରେ ଅବସ୍ଥାପିତ ଥିବା ଭାରତର ହାଇ କମିଶନରଙ୍କୁ ଏ ବାବଦରେ ପଚରାଉଚରା କରାଯାଇଥିଲା । ତେବେ କରୋନା ଭାରିଆଣ୍ଟ କିମ୍ବା ବେସମାରିକ ବିମାନ ଚଳାଚଳ ପଲିସି ଉପରେ ମତ ଦେବାର ଅଧିକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ନାହିଁ ବୋଲି ହାଇ କମିଶନର ସିଙ୍ଗାପୁର ସରକାରଙ୍କୁ କହିଥିଲେ । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନୂଆ ଭାରିଆଣ୍ଟକୁ ନେଇ ଦେଇଥିବା ମତାମତରେ କୌଣସି ସତ୍ୟତା ନାହିଁ ବୋଲି ସିଙ୍ଗାପୁର ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ତେବେ ଫାଇଲୋଜେନେଟିକ ଟେଷ୍ଟରୁ ଜଣାପଡିଛି ଯେ ସିଙ୍ଗାପୁରରେ କେତେକ କରୋନା ଆକ୍ରାନ୍ତଙ୍କଠାରେ ବି.୧.୬୧୭.୨ ଭାରିଆଣ୍ଟ ରହିଛି । ଏହି ଭାରିଆଣ୍ଟରେ ଛୋଟ ପିଲାମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି । ସବୁଠାରୁ ରୋଚକ କଥାଟି ହେଉଛି ଏହି ଭାରିଆଣ୍ଟକୁ ପ୍ରଥମେ ଭାରତରେ ଦେଖାଦେଇଥିଲା । ଏହାପରେ ବର୍ତ୍ତମାନ ବିଭିନ୍ନ ଦେଶରେ କରୋନାର ଏହି ଷ୍ଟ୍ରେନ ଦେଖିବା ପାଇଁ ମିଳୁଛି । ଏନେଇ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ସୂଚନା ଦେଇଛି । ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଅରିନ୍ଦମ ବାଗଚୀ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମତାମତକୁ ବିରୋଧ କରିଛନ୍ତି

Related Posts