ରାଜ୍ୟରେ କରୋନା ମୃତ୍ୟୁ ତଥ୍ୟ ଲୁଚାଇବା ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

niranjan patnaik

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ସାରା ରାଜ୍ୟରେ ହଜାର ହାଜର ଲୋକ କରୋନାରେ ସଂକ୍ରମତି ହେଉଥିବା ବେଳେ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ତେବେ ସାରା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସଠିକ ଭାବରେ ରାଜ୍ୟସରକାର ଦେଉଛନ୍ତି କି! ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । କାହିଁକି ନା ସରକାରଙ୍କ ତଥ୍ୟ ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟରେ ଆକାଶ ପାତାଳ ଫରକ ଥିବାର ଦେଖିବା ପାଇଁ ମିଳୁଛି । ସ୍ୱାସ୍ଥ୍ୟବିଭାଗର ଟ୍ୱିଟର ତଥ୍ୟ ଏବଂ ଗ୍ରାଉଣ୍ଡ ଜିରୋ ମଧ୍ୟରେ କୌଣସି ସାମଞ୍ଜସ୍ୟ ରହୁନଥିବାର ଦେଖିବା ପାଇଁ ମିଳିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସରକାରଙ୍କ ଏପରି ତଥ୍ୟକୁ ନେଇ ଅଭିଯୋଗ ଆସୁଛି । ଏପରିକି ମୃତକଙ୍କ ପରିବାରର ସଦସ୍ୟମାନେ ସିଧାସଳଖ ପ୍ରମାଣ ସହିତ ସରକାରଙ୍କୁ ଏବାବଦରେ ପ୍ରଶ୍ନ କରୁଛନ୍ତି । ତେବେ ତାଙ୍କର ମୁଖ୍ୟ ଅଭିଯୋଗ ରହୁଛି ସରକାର କାହିଁକି ତାଙ୍କ ପରିବାର ସଦସ୍ୟଙ୍କ ତଥ୍ୟକୁ ଉଲ୍ଲେଖ କରୁନାହାଁନ୍ତି । ଅନ୍ୟପଟେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏନେଇ ସରକାରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ଜାହିର କରିଥିଲେ । ସେ କହିଛନ୍ତି, କରୋନା ମୃତ୍ୟୁକୁ ନେଇ ବର୍ତ୍ତମାନ ଯେଉଁ ସାଘାଂତିକ ତଥ୍ୟ ସାମ୍ନାକୁ ଆସୁଛି ଏଥିରେ ରାଜ୍ୟବାସୀ ମର୍ମାହତ ହୋଇପଡିଛନ୍ତି । ପ୍ରତ୍ୟେକ ଦିନ ସରକାର ମୃତ୍ୟୁକୁ ନେଇ ଯେଉଁ ପରିସଂଖ୍ୟାନ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ ଏବଂ ବିଭ୍ରାନ୍ତିକର । ଯଦି ଉଚିତ ସଂଖ୍ୟା ଜାଣିବାର ଅଛି ତାହାଲେ ରାଜ୍ୟରେ ଥିବା ମଶାଣି ଗୁଡିକୁ ପରିଦର୍ଶନ କରନ୍ତୁ ।

କାହିଁକି ନା ରାଜ୍ୟରେ ଥିବା ମଶାଣି ଗୁଡିକର ହିସାବ ଖାତା ରାଜ୍ୟସରକାରଙ୍କ ମୃତ୍ୟୁ ରିପୋର୍ଟକୁ ପଦାରେ ପକାଇଦେଇଛି । ଯଦି ଆମେ ସରକାରଙ୍କ ତଥ୍ୟକୁ ଦେଖିବା ତାହାଲେ ପ୍ରତିଦିନ ସରକାର ହାରାହାରି ୨୦ ଜଣ ଲେଖାଏଁ କୋଭିଡରେ ମୃତ୍ୟୁ ଘଟୁଥିବାର ଦର୍ଶାଉଛନ୍ତି । ସରକାରଙ୍କ ରିପୋର୍ଟ ଅନୁଯାୟୀ ଗତ ୧୪ ତାରିଖରେ ସର୍ବାଧିକ ୨୨ ଜଣ ମୃତ୍ୟୁବରଣ କରିଥିଲେ । ଏପରିସ୍ଥିତିରେ ଭୁବନେଶ୍ୱରରେ ଥିବା ସତ୍ୟନଗର ଶ୍ମଶାନକୁ ଦେଖିଲେ ଏହାର ଚିତ୍ର ସମ୍ପୂର୍ଣ୍ଣ ଅଲଗା । ପ୍ରତ୍ୟେକ ଦିନ ସେଠାରେ ୪୫ ରୁ ଅଧିକ ଶବସତ୍କାର ହେଉଥିବାର ଦେଖିବା ପାଇଁ ମିଳୁଛି । ଯେଉଁଥିରୁ ପାଖାପାଖି ୩୦ ଜଣଙ୍କ କୋଭିଡରେ ମୃତ୍ୟୁ ଘଟିଛି । ଏହି ମାସରେ ସତ୍ୟନଗର ଶ୍ମଶାନରେ ପ୍ରାୟ ୬୫୦ ଜଣଙ୍କ ଶବସତ୍କାର ହୋଇଛି ବୋଲି ସେଠାକାର କର୍ମଚାରୀଙ୍କ ଠାରୁ ଜଣାପଡିଛି । ଅନ୍ୟପଟେ ସବୁଠାରୁ ରୋଚକ କଥାଟି ହେଉଛି ଦ୍ୱିତୀୟ ଲହରୀରେ ରାଜ୍ୟରେ ମୋଟ ୩୯୫ ଜଣଙ୍କ ମୃତ୍ୟୁ ଘଟିଛି । ଯାହା ଦିନକୁ ପ୍ରାୟ ହାରାହାରି ୬ ଜଣ ମରିଥିବାର ଦର୍ଶାଉଛି । ଯାହାକି ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ବୋଲି ପ୍ରଦେଶ କଂଗେସର ସଭାପତି କହିଛନ୍ତି । ରାଜ୍ୟରେ ବର୍ତ୍ତମାନ କରୋନା ସହର ଠାରୁ ଗାଁ ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି । ରାଜଧାନୀରେ ଯଦି ଏପରି କିଛି ଦେଖିବା ପାଇଁ ମିଳୁଛି ତାହଲେ ରାଜ୍ୟରେ ଥିବା ଗ୍ରାମ ଗୁଡିକର ସ୍ଥିତି ଉଦବେଗ ଜନକ ଥିବ ବୋଲି ଅନୁମାନ କରାଯାଉଛି । ଆମ ରାଜ୍ୟ ସରକାର ନିଜର କୋଭିଡ ଲଢେଇ ହେଉ କିମ୍ବା ଅକ୍ସିଜେନ ଯୋଗାଣ ପାଇଁ ସାରା ଦେଶରେ ବା! ବା! ସାଉଣ୍ଟୁଛନ୍ତି । ଏପରିସ୍ଥିତିରେ ରାଜ୍ୟର ମୃତ୍ୟୁ ସଂଖ୍ୟାକୁ ଲୁଚାଇବା ଠିକ କି ବୋଲି ପ୍ରଶ୍ନ ଉଠୁଛି ।

Related Posts