
ବିଶ୍ବର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚୀନ୍ ଗ୍ଲାସିୟରରେ ମୁତୟନ ଭାରତୀୟ ସୈନିକ ପୁଣି ଥରେ ନିଜର ଦମ୍ର ପ୍ରମାଣ ଦେଇଛନ୍ତି । ଏକ ନିଆରା ରେକର୍ଡ କରିଛନ୍ତି ଭାରତୀୟ ଯବାନ । ଏକ ଏମିତି ହେଲିକପ୍ଟରକୁ ବେସ୍ କ୍ୟାମ୍ପ ଯାଏଁ ଆଣିଛନ୍ତି ଯାହା ଗତ ଜାନୟାରୀରୁ ଗ୍ଲାସିୟରରେ ଫସି ରହିଥିଲା ।
18 ହଜାର ଫୁଟ୍ ଉଚ୍ଚତାରେ ହେଲିକପ୍ଟର ଜରୁରୀ ଅବତରଣ କଲା । ALH ଧ୍ରୁବ ହେଲିକପ୍ଟର ଖାଣ୍ଡା ପୋଷ୍ଟ ନିକଟରେ ଲ୍ୟାଣ୍ଡିଂ କଲା । ଏହି ହେଲିକପ୍ଟର 74 କିମି ଦୀର୍ଘ ଗ୍ଲାସିୟରରେ ଜାନୁୟାରୀରୁ ଫସି ରହିଥିଲା । ସେନାର ଯବାନ ଏହି ହେଲିକପ୍ଟରକୁ ସୁରକ୍ଷିତ ଭାବେ ବେସ୍ କ୍ୟାମ୍ପ୍ ଯାଏଁ ଆଣିବାରେ ସଫଳ ହେଲେ । ଏତେ ଉଚ୍ଚତାରେ କାମ କରିବା ସେନା ପାଇଁ ଏକ ବଡ଼ ମାଇଲ୍ଖୁଣ୍ଟ । ଅପରେସନ୍ରେ ସେନାର ପାଇଲଟ୍ ଓ ଟେକ୍ନିସିଆନ୍ଙ୍କର ବଡ଼ ଭୂମିକା ରହିଲା ।
ସିଆଚୀନ୍ ଗ୍ଲାସିଅରରେ ସେନାର ଯବାନଙ୍କର ଗମନାଗମନରେ ଏକମାତ୍ର ମାଧ୍ୟମ । ଭାରତ ସେହି ହାତଗଣତି ଦେଶଙ୍କ ଭିତରୁ ଗୋଟିଏ, ଯିଏ ଏତେ ଉଚ୍ଚତାରେ ହେଲିକପ୍ଟରର ବ୍ୟବହାର କରେ । ସିଆଚୀନ୍ ଗ୍ଲାସିଅର ବିଶ୍ବର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର
ସମୁଦ୍ର ପତ୍ତନରୁ ସିଆଚୀନ୍ର ଉଚ୍ଚତା ପ୍ରାୟ 5,400 ମିଟର ।
ଏଠାରେ 23 ହଜାର ଫୁଟ୍ ଉଚ୍ଚତାରେ ଉଡ଼ାଣ ଭରନ୍ତି ଚିତା ଓ ଚେତକ ହେଲିକପ୍ଟର । ସେନାର 150ଟି ପୋଷ୍ଟ ଓ ପ୍ରାୟ 10 ହଜାର ସୈନିକ ଏହି ହେଲିକପ୍ଟର ଉପରେ ନିର୍ଭର କରନ୍ତି । ସେନାର କହିବା ଅନୁସାରେ ସେନାର ପାଇଲଟ୍ ଓ ଟେକ୍ନିସିଆନ୍ ମାନେ ଏହି ହେଲିକପ୍ଟରର ବହୁ ଅଂଶକୁ ସେହିଠାରେ ହିଁ ମରାମତି କଲେ । ଏଥିସହ ବହୁ ନୂଆ ପାର୍ଟ ଲଗାଗଲା । ଯାହା ଫଳରେ ହେଲିକପ୍ଟର ସଫଳତାର ସହ ବେସ୍ କ୍ୟାମ୍ପ ଯାଏଁ ଫେରି ପାରିଲା ।