
କ୍ରିକେଟ୍ ପଡ଼ିଆରେ ଆପଣ ବହୁ କ୍ୟାପଟେନ୍ଙ୍କୁ ଦେଖିଥିବେ । କିନ୍ତୁ କେବେ ଦେଖିଛନ୍ତି ଜଣେ ଏମିତି କ୍ୟାପଟେନ୍ଙ୍କୁ ଯାହାଙ୍କର ବୟସ ମାତ୍ର 7 ବର୍ଷ । ଏବେ ଜଣେ 7 ବର୍ଷର ପିଲା ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି, ଯିଏ କୌଣସି ଏମିତି ସେମିତି ଦଳର ନୁହେଁ, ବରଂ ବିଶ୍ବର ଅନ୍ୟତମ ଶ୍ରେଷ୍ଠ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆର ଅଧିନାୟକ ହୋଇଛନ୍ତି ।
ଖେଳ ମଇଦାନରେ ଦୁଇ ଜଣ କ୍ୟାପଟେନ୍ଙ୍କୁ ଟସ୍ ପାଇଁ ଆସୁଥିବା ତ ଆପଣ ଦେଖିଥିବେ । କିନ୍ତୁ ମେଲବର୍ଣ୍ଣରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ପଡ଼ିଆକୁ ଟସ୍ ପକାଇବାକୁ ଆସିଲେ 3 ଜଣ କ୍ୟାପଟେନ୍ । ଭାରତୀୟ କ୍ୟାପଟେନ୍ ବିରାଟ କୋହଲି ଓ ଅଷ୍ଟ୍ରେଲୀୟ କ୍ୟାପଟେନ୍ ଟିମ୍ ପେନ୍ଙ୍କ ସହ ଟସ୍ ପକାଇବାକୁ ଆସିଲେ ଆଚ୍ରି ଶିଲର । ଆଚ୍ରି ଶିଲର ହେଉଛନ୍ତି ଜଣେ 7 ବର୍ଷର ବାଳକ ।
କଥା ହେଲା କ୍ରିକେଟ୍ ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ ପାଇଁ ଆଚ୍ରି ଶିଲରଙ୍କୁ 15 ସଦସ୍ୟ ବିଶିଷ୍ଟ ଟିମ୍ରେ ସାମିଲ୍ କରିଛି । ମ୍ୟାଚ୍ ପାଇଁ ଆଚ୍ରି ଶିଲରଙ୍କୁ ଟିମ୍ ପେନ୍ଙ୍କ ସହ କ୍ୟାପଟେନ୍ କରାଯାଇଛି । ହୃଦରୋଗରେ ପୀଡ଼ିତ ଆଚ୍ରି ଶିଲରଙ୍କର ବୟସ ମାତ୍ର 7 ବର୍ଷ । ଆଚ୍ରି ମାତ୍ର 3 ମାସର ହୋଇଥିବାବେଳେ ଆଚ୍ରିଙ୍କୁ ହୃଦ୍ରୋଗ ଥିବା ଜଣାପଡ଼ିଥିଲା । ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ର କ୍ୟାପଟେନ୍ ହେବା ଥିଲା ଆଚ୍ରିଙ୍କର ସ୍ବପ୍ନ ।
ଜନ୍ମରୁ ଏ ଯାଏଁ 3ଟି ଅପରେସନ୍ ହୋଇସାରିଥିବା ଆଚ୍ରିଙ୍କର ଏହି ସ୍ବପ୍ନ କ୍ରିକେଟ୍ ଅଷ୍ଟ୍ରେଲିଆ ବକ୍ସିଂ ଡେ ଟେଷ୍ଟରେ ପୂରଣ କଲା ।
କ୍ରିକେଟ୍ ଅଷ୍ଟ୍ରେଲିଆ ଆଡିଲେଡ୍ର ଏହି କୁନି ଲେଗ୍ସ୍ପିନରଙ୍କୁ ଶନିବାର 22 ଡିସେମ୍ବର ଦିନ ତାଙ୍କର ସପ୍ତମ ଜନ୍ମଦିନରେ ଏହି ଖୁସି ଖବର ଦେଇଥିଲା ।
ମ୍ୟାଚ୍ରେ ଟସ୍ ପୂର୍ବରୁ ଆଚ୍ରିଙ୍କୁ ଟେଷ୍ଟର ବେଗି ଗ୍ରୀନ୍ କ୍ୟାପ୍ ଦିଆଗଲା । ଟିମ୍ ସଦସ୍ୟମାନେ ନିଜ ଟିମ୍ର ନୂଆ ସଦସ୍ୟଙ୍କୁ ଜୋରଦାର ସ୍ବାଗତ କଲେ । ଅଷ୍ଟ୍ରେଲିଆରେ କ୍ରିକେଟ୍ର ଏହି 7 ବର୍ଷର ଦିୱାନାଙ୍କର ସ୍ବପ୍ନ ପୂରଣ ମେକ୍ ଏ ୱିସ୍ ଅଷ୍ଟ୍ରେଲିଆ ଫାଉଣ୍ଡେସନ୍ ଯୋଗୁଁ ସମ୍ଭବ ହୋଇପାରିଲା ।