
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ କିମ୍ବଦନ୍ତୀ ମହିଳା ଦ୍ରୁତ ବୋଲର ଝୁଲନ ଗୋସ୍ବାମୀ ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟରୁ ନିଜର ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶନିବାର(ସେପ୍ଟେମ୍ବର ୨୪)ରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ତାଙ୍କର ଶେଷ ମୁକାବିଲା ହେବ ବୋଲି ସେ ଘୋଷଣା କରିଛନ୍ତି।ଦୀର୍ଘଦିନରୁ ସେ ଅବସର ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଶେଷରେ ଏହି ମହାନ ମହିଳା ପେସର୍ ନିଜେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ନିଜ ଅନ୍ତର୍ଜାତୀୟ କ୍ୟାରିୟର ରେ ସେ ଭାରତ ପାଇଁ ଅନେକ ସଫଳତା ଆଣି ଦେଇଛନ୍ତି। ସେ ଭାରତ ପାଇଁ ଦିନିକିଆ ମହିଳା କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇ ରେକର୍ଡ ମଧ୍ୟ କରିଛନ୍ତି।
ତେବେ ଝୁଲନ ୨୦୨୩ରେ ହେବାକୁ ଥିବା ମହିଳା ଆଇପିଏଲ୍ର ପ୍ରଥମ ସିଜନ ଖେଳିପାରନ୍ତି। କାରଣ ସେ କେବଳ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ବିସିସିଆଇର ଘୋଷଣା ପରେ ସେ ଆଇପିଏଲ୍ରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ କରିବେ ବୋଲି ମଧ୍ୟ ସେ କହିଛନ୍ତି।