
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ମୁସଲିମ ମହିଳାଙ୍କ ମୁକ୍ତିଦାତା । ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ ପ୍ରକାଶିତ ପୁସ୍ତକ ‘ସବ୍କା ସାଥ୍ ସବକା ବିକାଶ ସବକା ବିଶ୍ୱାସ’ର ଉନ୍ମୋଚନ ସମାରୋହରେ ଦେଶରୁ ‘ତିନ୍ ତଲାକ୍’ ଉଚ୍ଛେଦକୁ ନେଇ ଏପରି କହି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କହିଛନ୍ତି ଯେ, ‘ତିନ୍ ତଲାକ୍’ କଷ୍ଟରୁ ମୁସଲିମ୍ ମହିଳାମାନେ ମୁକ୍ତି ପାଇବା କୌଣସି ଛୋଟ ସଫଳତା ନୁହେଁ। ବିବାହିତା ମୁସଲିମ୍ ମହିଳାମାନେ ସବୁବେଳେ ଛାଡ଼ପତ୍ରର ଧମକ ତଳେ ରହୁଥିଲେ।
ସେ ଆହୁରି କହିଛନ୍ତି ଯେ, ମୁସଲିମ୍ ମହିଳାମାନଙ୍କୁ ହିନ୍ଦୁ ମହିଳାଙ୍କ ପରି ସମାନ ଅଧିକାର ପ୍ରଦାନ କରିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ଵାରା ସମ୍ଭବ ହୋଇ ପାରି ନଥିଲା। ଏହା ନେହେରୁଙ୍କ ଏକ ବଡ଼ ବିଫଳତା। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିନ୍ତୁ ଏହା କରି ଦେଖାଇଛନ୍ତି। ମୋଦି ମୁସଲିମ୍ ମହିଳାମାନଙ୍କୁ ହିନ୍ଦୁ ମହିଳାଙ୍କ ପରି ସମାନ ଅଧିକାର ପ୍ରଦାନ କରିଛନ୍ତି ବୋଲି ସେ ନିଜ ଭାଷଣରେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଐତିହାସିକ ନିଷ୍ପତ୍ତିର ପ୍ରଭାବ ବହୁବର୍ଷ ପରେ ଅନୁଭବ ହେବ। ଯେତେବେଳେ ରାଜନୈତିକ ଏବଂ ସମାଜବିଜ୍ଞାନ ଚିନ୍ତକମାନେ ଏହି ନିଷ୍ପତ୍ତିକୁ ବିଶ୍ଳେଷଣ କରିବେ ଓ ତାଙ୍କୁ ମୁସଲମାନ ମହିଳାମାନଙ୍କ ମୁକ୍ତିଦାତା ଭାବେ ସ୍ମରଣ କରିବେ। ଏଥିପାଇଁ ସମସ୍ତ ବାଧା ଏବଂ ବିରୋଧକୁ ସାହସର ସହ ସାମ୍ନା କରିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ପ୍ରଶଂସା କରି ଶ୍ରେୟ ପ୍ରଦାନ କରିଛନ୍ତି।