ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ ଭାରତର ମହିଳା ଦୃତ ବୋଲର ଝୁଲଣ ଗୋସ୍ୱାମୀ, ୨୪ ସେପ୍ଟେମ୍ବରରେ ଲର୍ଡସରେ ଖେଳିବେ ଶେଷ ମ୍ୟାଚ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ମହିଳା କ୍ରିକେଟ ଟିମ୍‌ର ମହାନ ଦୃତ ବୋଲର ଝୁଲଣ ଗୋସ୍ୱାମୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଝୁଲଣ ଲର୍ଡସରେ ୨୪ ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ନିଜ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବେ। ଝୁଲଣ ମହିଳା ଦିନିକିଆରେ ସବୁଠାରୁ ଅଧିକ ଓ୍ବିକେଟ୍‌ ନେଇଥିବା ବୋଲର। ଦୀର୍ଘ ୨୦ ବର୍ଷ ହେବ ଭାରତୀୟ ମହିଳା ଦଳରେ ଝୁଲଣ ଅଛନ୍ତି ।ମହିଳା ଅନ୍ତର୍ଜାତୀୟ ମ୍ୟାଚରେ ସେ ସବୁଠାରୁ ଅଧିକ ୱିକେଟ ହାସଲ କରିଥିବା ବୋଲର ଭାବେ ପରିଗଣିତ ହୋଇଛନ୍ତି । ସେଭଳି ମହିଳା ଦିନିକିଆ ବିଶ୍ବକପ୍‌ରେ ମଧ୍ୟ ସବୁଠାରୁ ଅଧିକ ଓ୍ବିକେଟ ନେବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି।

ବିଶ୍ବକପ୍‌ରେ ୩୪ ମ୍ୟାଚ୍‌ରେ ୪୩ ଓ୍ବିକେଟ୍‌ ନେଇଛନ୍ତି। ସେଭଳି ୨ ଥର ୪ ଓ୍ବିକେଟ୍‌ ନେବାର କାରନାମା କରି ସାରିଛନ୍ତି। ୩୯ ବର୍ଷୀୟ ଝୁଲଣଙ୍କୁ ଇଂଲଣ୍ଡ ବିପକ୍ଷ ଓ୍ବାନଡେ ସିରିଜ୍‌ ପାଇଁ ଭାରତୀୟ ଟିମ୍‌ରେ ଚୟନ କରାଯାଇଛି। ତେବେ ସେ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ଟି-୨୦ ଟିମ୍‌ର ସଦସ୍ୟ ହୋଇନଥିଲେ। ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଝୁଲଣ ସନ୍ୟାସ ନେବାର ଘୋଷଣା କରିଛନ୍ତି। ସେ କିଛି ଦିନ ହେବ ଦଳରୁ ବାହାରେ ଥିଲେ ବି ଇଂଲଣ୍ଡ ବିପକ୍ଷ ମ୍ୟାଚ ପାଇଁ ସେ ଦଳକୁ ଫେରିଛନ୍ତି। ଭାରତୀୟ ଦଳ ୨ ସପ୍ତାହ ପାଇଁ ଇଂଲଣ୍ଡ ଗସ୍ତ କରିବ । ଏହି ସମୟରେ ଏକଦିବସୀୟ ସହ ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବ ଭାରତୀୟ ଟିମ୍ ।

ଝୁଲଣଙ୍କ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଦେଖିଲେ ସେ ଏପର୍ଯ୍ୟନ୍ତ ମୋଟ ୧୨ ଟି ଟେଷ୍ଟ ମ୍ୟାଚ ସହ ୨୦୧ ଟି ଏକଦିବସୀୟ ଓ ୬୮ ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ୧୨ ଟି ଟେଷ୍ଟ ମ୍ୟାଚ୍ ଖେଳି ଝୁଲଣ ୪୪ ଟି ୱିକେଟ ହାସଲ କରିଥିବା ବେଳେ ୨୦୧ ଏକ ଦିବସୀୟ ମ୍ୟାଚରୁ ସେ ୨୫୦ ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ଟି-୨୦ ମ୍ୟାଚରୁ ୫୬ ଟି ୱିକେଟ ହାସଲ କରିଛନ୍ତି ଝୁଲଣ ଗୋସ୍ୱାମୀ । ଝୁଲଣ ଚଳିତ ବର୍ଷ ମାର୍ଚ୍ଚରେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ। ସେତେବେଳେ ସେ ନ୍ୟୁଜିଲାଣ୍ଡରେ ହୋଇଥିବା ମହିଳା ବିଶ୍ବକପ୍‌ରେ ବାଂଲାଦେଶ ବିପକ୍ଷ ମ୍ୟାଚେ୍‌ରେ ଖେଳିଥିଲେ। ଏହି ମ୍ୟାଚ୍‌ରେ ସେ ୧୯ ରନ୍ ଦେଇ ୨ ଓ୍ବିକେଟ ନେଇଥିଲେ। ବିସିସିଆଇ ଏହି ବିଶ୍ବକପ୍‌ ପରେ ଝୁଲଣଙ୍କୁ ବିଦାୟ ଦେବାକୁ ଚାହୁଁଥିଲା, କିନ୍ତୁ ଆଘାତ କାରଣରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଲିଗ୍ ମ୍ୟାଚ୍‌ ଖେଳିପାରିନଥିଲେ। ଏହାପରେ ତାଙ୍କ ବିଦାୟୀ ମ୍ୟାଚ୍‌ ଦେଖିବାର ଅପେକ୍ଷା ଥିଲା।

Related Posts