ଭାରତୀୟମାନେ ଚଢ଼ା ଦରରେ ଇନ୍ଧନ କିଣି ପାରିବେ ନାହିଁ, ସେଥିପାଇଁ ଆମେ ରୁଷ୍‌ ଠାରୁ ଅଶୋଧିତ ତେଲ କିଣୁଛୁ : ଏସ୍‌. ଜୟଶଙ୍କର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟମାନେ ଚଢ଼ା ଦର ଦେଇ ଇନ୍ଧନ କିଣି ପାରିବେ ନାହିଁ, ତେଣୁ ସେମାନଙ୍କ ସୁବିଧା ପାଇଁ ଭାରତ ରୁଷ୍‌ ଠାରୁ ଅଶୋଧିତ ତେଲ କିଣୁଛି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର। ଜୟଶଙ୍କର ଥାଇଲାଣ୍ଡ୍‌ର ରାଜଧାନୀ ବ୍ୟାଙ୍ଗକକ୍‌ରେ ପ୍ରବାସୀ ଭାରତୀୟ ମାନଙ୍କ ସହିତ ଆଲୋଚନା କରିବା ବେଳେ ଏହା କହିଛନ୍ତି।‌ସେ ଆହୁରି କହିଛନ୍ତି, ଆମର ସ୍ବାର୍ଥ ପ୍ରତି ଆମେ ଖୁବ୍‌ ଉନ୍ମୁକ୍ତ ଏବଂ ସତ୍ୟନିଷ୍ଠ। ମୋ ଦେଶବାସୀଙ୍କ ମୁଣ୍ଡପିଛି ଆୟ ୨୦୦୦ ଡଲାର୍‌। ଆମ ଦେଶର ଲୋକମାନେ ଇନ୍ଧନପାଇଁ ଚଢ଼ା ଦର ଦେଇ ପାରିବେ ନାହିଁ। ତେଣୁ, ସେମାନଙ୍କ ପାଇଁ ସୁଲଭ ମୂଲ୍ୟରେ କାରବାର କରିବା ଦିଗରେ ସୁନିଶ୍ଚିତ ହେବା ମୋର ନୈତିକ କର୍ତ୍ତବ୍ୟ।

ସେ ଆହୁରି ମଧ୍ୟ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା କଟକଣା ଲାଗୁ କରିବା ପରେ ରୁଷ୍‌ରୁ ୟୁରୋପ୍‌ ଅତି କମ୍‌ ପରିମାଣର ତୈଳ ଖରିଦ କରୁଥିବାରୁ ଭାରତର ଅନେକ ତୈଳ ଯୋଗାଣକାରୀ ୟୁରୋପ୍‌କୁ ତୈଳ ଯୋଗାଉଛନ୍ତି। ତୈଳ ଓ ଗ୍ୟାସ୍‌ ଦର ଅକାରଣରେ ବୃଦ୍ଧି ପାଉଛି। ପରିସ୍ଥିତି ଏମିତି ହୋଇଛି ଯେ, ତୈଳ ଓ ବାଷ୍ପ ଦର ବୃଦ୍ଧି ପ୍ରଭାବ ହ୍ରାସ କରିବା ଲାଗି ଶସ୍ତାରେ ତେଲ ଖରିଦ କରିବା ଲାଗି ସବୁ ଦେଶ ଉଦ୍ୟମ କରୁଛନ୍ତି। ଆମେ ବି ଠିକ୍‌ ସେମିତି କରୁଛୁ।

ସୂଚନାଯୋଗ୍ୟ, ୯ମ ଭାରତ-ଥାଇଲାଣ୍ଡ୍‌ ମିଳିତ କମିସନ୍‌ ବୈଠକରେ ଯୋଗ ଦେବା ପାଇଁ ମଙ୍ଗଳବାର ଦିନ ଜୟଶଙ୍କର ଥାଇଲାଣ୍ଡ୍‌ରେ ଥିଲେ। ସେଠାରେ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କୁ ଭେଟିଥିଲେ। ଚଳିତ ବ‌ର୍ଷ ଭାରତ ଓ ଥାଇଲାଣ୍ଡ୍‌ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି।

Related Posts