ଭାରତର ଏସିଆ କପ୍ ଆଶା ଶେଷ, ଫାଇନାଲରେ ଶ୍ରୀଲଙ୍କା ଓ ପାକିସ୍ତାନ ହେବେ ମୁହାଁ ମୁହିଁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏସିଆ କପ୍‌ରେ ବୁଧବାର ଅନୁଷ୍ଠିତ ଏକ ଲୋ ସ୍କୋରିଂ ସୁପର ୪ ମୁକାବିଲାରେ ପାକିସ୍ତାନ ରୋମାଞ୍ଚଭାବେ ମାତ୍ର ୧ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ଫଳାଫଳ ସହିତ ଭାରତର ଏସିଆ କପ୍ ଆଶା ଶେଷ ହୋଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳିବା ସ୍ପଷ୍ଟ ହୋଇଛି। ସୁପର ୪ ପର୍ଯ୍ୟାୟରେ କ୍ରମାଗତ ୨ଟି ମ୍ୟାଚ୍‌ ହାରିଥିବା ଭାରତ ଗୁରୁବାର ଆଫଗାନିସ୍ତାନକୁ ଭେଟିବ।ମାତ୍ର ଏହି ମ୍ୟାଚ୍‌ କେବଳ ଏକ ଔପଚାରିକତା ଦୃଷ୍ଟିରୁ ଖେଳାଯିବ। ଭାରତ ଓ ଆଫଗାନିସ୍ତାନକୁ ଉଭୟ ଶ୍ରୀଲଙ୍କା ଓ ପାକିସ୍ତାନ ସୁପର୪ ରେ ପରାସ୍ତ କରିଥିବାରୁ ୪ ପଏଣ୍ଟ ଲେଖାଏ ପାଇ ଆଗକୁ ବଢ଼ିଛନ୍ତି।

ଗତକାଲିର ପାକିସ୍ତାନ ଓ ଆଫଗାନିସ୍ତାନ ମ୍ୟାଚ୍ ରେ ଶାରଜା କ୍ରିକେଟ୍‌ ଷ୍ଟାଡିୟମ ପିଚ୍‌ ବୋଲରଙ୍କୁ ସୁହାଇଥିଲା। ଫଳରେ ଆଫଗାନିସ୍ତାନ ୨୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୧୨୯ ରନ୍‌ କରିପାରିଥିଲା। ଦଳ ପକ୍ଷରୁ ଇବ୍ରାହିମ୍‌ ଜଡ୍ରାନ ସର୍ବାଧିକ ୩୫ ରନ୍‌ କରିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ହାରିସ ରୌଫ ୨ଟି ଏବଂ ନସିମ ଶାହା, ମହମ୍ମଦ ହାସନେନ, ମହମ୍ମଦ ନଓ୍ବାଜ ଓ ଶଦାବ ଖାଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପାକିସ୍ତାନ ୧୯.୨ ଓଭରରେ ୯ ଉଇକେଟ ହରାଇ ୧୩୧ ରନ୍‌ ସଂଗ୍ରହ କରିନେଇଥିଲା। ଆଫଗାନିସ୍ତାନ ବୋଲରମାନେ ଆରମ୍ଭରୁ ପ୍ରଭାବୀ ବୋଲିଂ କରିଥିଲେ। ଫଳରେ କୌଣସି ପାକିସ୍ତାନୀ ବ୍ୟାଟର ହାତଖୋଲି ଖେଳିପାରି ନ ଥିଲେ। ଶଦାବ ଖାଁ ସର୍ବାଧିକ ୩୬ ଓ ଇଫ୍‌ତିକାର ଅହମଦ ୩୦ ରନ୍‌ କରିଥିଲେ। ୧୮ତମ ଓଭରରେ ୪ ରନ୍‌ରେ ୨ଟି ଏବଂ ୧୯ତମ ଓଭରରେ ୧୦ ରନ୍‌ କରି ପାକିସ୍ତାନ ୨ଟି ଉଇକେଟ ହରାଇ ପରାଜୟମୁହାଁ ହୋଇଥିଲା। ମାତ୍ର ୨୦ତମ ଓଭରର ପ୍ରଥମ ୨ ବଲ୍‌କୁ ଛକାରେ ପରିଣତ କରି ପାକିସ୍ତାନର ନସିମ ଶାହା ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ର ପରିସମାପ୍ତି ଘଟାଇଥିଲେ।

Related Posts