‘ଭାରତ ଯୋଡ ଯାତ୍ରା’ ଭରତୀୟ ରାଜନୀତିରେ ଏକ ପରିବର୍ତ୍ତନଶୀଳ ମୁହୂର୍ତ୍ତ: ସୋନିଆ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର କଂଗ୍ରେସ ପକ୍ଷରୁ କନ୍ୟାକୁମାରୀ ଠାରୁ ‘ଭାରତ ଯୋଡ ଯାତ୍ରା’ ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ଆନୁଷ୍ଠାନିକ ଭାବେ ଏହାକୁ ଆରମ୍ଭ କରିଛନ୍ତି। ଏହି ଅବସରରେ ଚିକିତ୍ସା ପାଇଁ ବିଦେଶରେ ଥିବା ସୋନିଆ ଗାନ୍ଧୀ ଏକ ଭାବପ୍ରବଣ ଚିଠି ଲେଖି ଯାତ୍ରାକୁ ସମ୍ବୋଧିତ କରିଛନ୍ତି। କଂଗ୍ରେସର ଅନ୍ତରୀଣ ଅଧକ୍ଷ୍ୟା ସୋନିଆ ଗାନ୍ଧୀ ‘ଭାରତ ଯୋଡ ଯାତ୍ରା’କୁ ଭାରତୀୟ ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ଚିଠିରେ ବର୍ଣ୍ଣନା କରିଛନ୍ତି। ସୋନିଆ କର୍ମୀମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ମୁଁ ଚାଲିଥିବା ଡାକ୍ତରୀ ଚିକିତ୍ସା ଯୋଗୁ ଆପଣଙ୍କ ସହ ଯୋଗଦେଇ ପାରିନାହିଁ। ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ମହାନ ଦଳ କଂଗ୍ରେସ ପାଇଁ ଏହା ଏକ ଐତିହାସିକ ସମୟ। ମୋର ବିଶ୍ୱାସ ଅଛି, ଏହାଦ୍ୱାରା ଆମ ଦଳର ସଂଗଠନ ଆହୁରି ମଜଭୁତ ହେବ। ଏହି ଯାତ୍ରା ଭରତୀୟ ରାଜନୀତିରେ ଏକ ପରିବର୍ତ୍ତନଶୀଳ ମୁହୂର୍ତ୍ତ। ଏହାସହ ସୋନିଆ ପଦଯାତ୍ରାରେ ସାମିଲ ୧୨୦ଜଣ ଦଳୀୟ ସହକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଭିନ୍ନ ରାଜ୍ୟରେ ଏହି ପଦଯାତ୍ରାରେ ଯୋଗଦେବାକୁ ଆହୁରି ହଜାର ହଜାର ଲୋକ ଯୋଗଦେବେ ବୋଲି କହିଛନ୍ତି। ସମସ୍ତ କର୍ମୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସୋନିଆ ଏହି ଯାତ୍ରାର ସଫଳତା କାମନା କରିଛନ୍ତି।

ସୂଚନା ଅନୁଯାୟୀ, ଏହି ପଦଯାତ୍ରା କନ୍ୟାକୁମାରୀ ରୁ କାଶ୍ମୀର ପର୍ଯ୍ୟନ୍ତ ୩୭୫୦ କିମି ପଥ ଅତିକ୍ରମ କରିବ। ୧୫୦ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପ୍ରତିଦିନ ଦୁଇଟି ପର୍ଯ୍ୟାୟରେ ଚାଲିବ। ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟ ସକାଳ ୧୦.୩୦ରେ ଏବଂ ଦ୍ଵିତୀୟ ପର୍ଯ୍ୟାୟ ଅପରାହ୍ନ ୩.୩୦ରେ ଆରମ୍ଭ ହେବ। ପ୍ରତିଦିନ ୨୨ ରୁ ୨୩ କିଲୋମିଟର ଦୂରତା ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ବିଭିନ୍ନ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ୧୨୦ କଂଗ୍ରେସ ନେତା ଏହି ଯାତ୍ରାରେ ଅଂଶଗ୍ରହଣ କରିବେ। କଂଗ୍ରେସ କର୍ମୀମାନେ ମଧ୍ୟ ଏଥିରେ ପଦଯାତ୍ରା କରିବେ।

Related Posts