ଭାରତ ଯୋଡୋ ଯାତ୍ରା ଏବେ ନିଆଁ ଲଗାଇବା ଯାତ୍ରା ରେ ପରିଣତ ହୋଇଛି: ସମ୍ବିତ ପାତ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଚାଲିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ତେବେ ଏହି ଯାତ୍ରାକୁ ନେଇ ବିଜେପି-କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଯାଇଛି । ଦୁଇ ଦଳ ମଧ୍ୟରୁ କେହି କୌଣସି ମଉକା ଛାଡିବାକୁ ପ୍ରସ୍ତୁତ ନୁହନ୍ତି । କଂଗ୍ରେସ ପକ୍ଷରୁ ହୋଇଥିବା ଗୋଟିଏ ଟ୍ୱିଟକୁ ନେଇ ଏବେ ଉଭୟ ଦଳ ସାମ୍ନାସାମ୍ନି ହୋଇଛନ୍ତି ।କଂଗ୍ରେସ ଦଳ ପକ୍ଷରୁ ଗୋଟିଏ ଟ୍ୱିଟ୍ କରାଯାଇଛି ଯେଉଁଥିରେ ଖାକି ହାପ୍ ପ୍ୟାଣ୍ଟରେ ନିଆଁ ଲାଗିଥିବା ଦେଖାଯାଇଛି । ଖାକି ହାପ୍ ପ୍ୟାଣ୍ଟ ସାଙ୍କେତିକ ଭାବେ ଆରଏସଏସର ହୋଇଥିବାରୁ ଏନେଇ ବିବାଦ ଆରମ୍ଭ ହୋଇଯାଇଛି । ବିଜେପି ଏହାକୁ ନେଇ ଏକ ପ୍ରେସମିଟ କରି କଂଗ୍ରେସର ଏହି ପୋଷ୍ଟକୁ ତୁରନ୍ତ ହଟାଇବାକୁ ଦାବି କରିଛି ।

ସୂଚନା ଅନୁସାରେ, ସୋମବାର ସକାଳୁ କଂଗ୍ରେସ ଗୋଟିଏ ଫଟୋ ପୋଷ୍ଟ କରିଥିଲା । ଏଥିରେ ଲେଖାଯାଇଥିଲା ଯେ ବିଜେପି-ଆରଏସଏସର ଘୃଣାରୁ ଦେଶକୁ ସ୍ୱାଧୀନ କରିବାକୁ ଗୋଟିଏ ଗୋଟିଏ ପାଦ ଆଗକୁ ବଢୁଛୁ । ଏହି ପୋଷ୍ଟ ସହ ଯେଉଁ ଫଟୋ ପୋଷ୍ଟ କରାଯାଇଛି ସେଥିରେ ଖାକି ହାପ ପ୍ୟାଣ୍ଟରେ ନିଆଁ ଲାଗୁଥିବା ଦେଖିବାକୁ ମିଳିଛି । ତେବେ ବିଜେପି ଏହାକୁ ନେଇ ଜୋରଦାର ଆକ୍ରମଣ କରିଛି । ବିଜେପି ପକ୍ଷରୁ ଦଳର ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସକୁ ପୋଷ୍ଟ ହଟାଇବା ପାଇଁ କହିଥିବା ବେଳେ କଂଗ୍ରେସ ଲୋକଙ୍କୁ ଉସୁକାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି । ସମ୍ବିତ ଆହୁରି କହିଛନ୍ତି ଯେ, କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ନିଆଁ ଲଗାଇବା ଯାତ୍ରା ରେ ପରିଣତ ହୋଇଛି । ଏହାକୁ ସମ୍ବିତ ଭାରତ ତୋଡୋ ଯାତ୍ରା ଭାବେ ମଧ୍ୟ ସମ୍ବୋଧନ କରିଛନ୍ତି ।ତେବେ ସମ୍ବିତ ଏନେଇ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ଯେ, ଦଳ କଣ ଚାହୁଁଛି ଜଣେ ଲୋକ ଅନ୍ୟ ଜଣେ ଲୋକଙ୍କୁ ନିଆଁ ଲଗାଇ ଦେଉ । କଂଗ୍ରେସ ତୁରନ୍ତ ଏହି ପୋଷ୍ଟକୁ ହଟାଇବାକୁ ବିଜେପି ପ୍ରବକ୍ତା ଦାବି କରିଛନ୍ତି ।

ତେବେ ଏହାର କିଛି ସମୟ ମଧ୍ୟରେ କଂଗ୍ରେସ ମଧ୍ୟ ଏନେଇ ଉତ୍ତର ରଖିଛି । କଂଗ୍ରେସ ମହାସଚିବ ଜୟରାମ ରମେଶ ଏନେଇ କହିଛନ୍ତି ଯେ, ଟିସାର୍ଟ ଏବଂ ଅଣ୍ଡରୱେର ଉପରେ ଯେଉଁ ଟିପ୍ପଣୀ ତାହା ପୁରା ପିଲାଳିଆମୀ । ଯଦି ମୁଁ ଏହାର ସତ କହିବି ତେବେ ଆପଣ ହସିବେ । ଏନେଇ କୌଣସି କଥା କହିବାକୁ ସେ ସିଧାସିଧା ମନା କରିଦେଇଛନ୍ତି । ଯଦି ବିଜେପିକୁ କୌଣସି ପ୍ରସଙ୍ଗ ତିଆରି କରିବାର ଅଛି ତେବେ ନିଜର ଏଜେଣ୍ଡା ପ୍ରଥମେ ସ୍ପଷ୍ଟ କରୁ ବୋଲି ରମେଶ କହିଛନ୍ତି।

Related Posts