ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ଧାରା ଅବ୍ୟାହତ; ବୋଲରଙ୍କ ପରେ ରୋହିତଙ୍କ ଦମଦାର ବ୍ୟାଟିଂ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବୋଲରଙ୍କ ଘାତକ ବୋଲିଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂରେ ପାକିସ୍ତାନ ଧରାଶାୟୀ। ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଭାରତ ବିଶ୍ଵକପ୍ ୨୦୨୩ର ମହାମୁକାବିଲାରେ ପାକିସ୍ତାନକୁ ୭ ଓ୍ଵିକେଟ୍‌ରେ ହରାଇଛି। ଏହି ସହଜ ବିଜୟ ସହ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଏହା ସହିତ ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ଧାରା ଅବ୍ୟାହତ ରହିଛି। ଦିନିକିଆ ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ଭାରତ ଅଷ୍ଟମ ବିଜୟ ହାସଲ କରିଛି। ଅନ୍ୟପଟେ ପାକିସ୍ତାନ ଚଳିତ ବିଶ୍ଵକପରେ ପ୍ରଥମ ପରାଜୟ ଭୋଗିଛି।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ମହାମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ବାବର ଆଜମଙ୍କ ୫୦ ଏବଂ ମହମ୍ମଦ ରିଜଓ୍ଵାନଙ୍କ ୪୯ ରନ ବଳରେ ୪୨.୫ ଓଭରରେ ୧୯୧ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ରୋହିତ ଶର୍ମାଙ୍କ ବିସ୍ଫୋରକ ୮୬ ରନ ସହ ଶ୍ରେୟସ ଆୟରଙ୍କ ଅପରାଜିତ ୫୩ ରନର ଉପଯୋଗୀ ବ୍ୟାଟିଂ ବଳରେ ଭାରତ ୩ ଓ୍ଵିକେଟ୍ ହରାଇ ୩୦.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବ ପ୍ରତ୍ୟେକ ୨ଟି ଲେଖାଏ ଓ୍ଵିକେଟ୍ ନେଇଛନ୍ତି।

୧୯୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୨୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଡେଙ୍ଗୁରୁ ସୁସ୍ଥ ହୋଇ ବିଶ୍ଵକପରେ ନିଜର ପ୍ରଥମ ମ୍ୟାଚ୍ ଖେଳିଥିବା ଶୁଭମନ ଗିଲ୍ ୧୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଶର୍ମା ଓ ବିରାଟ କୋହଲି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। କୋହଲି ୧୬ ରନ କରି ବିଦାୟ ନେଇଥିଲେ। ଅନ୍ୟପଟେ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ପାକିସ୍ତାନ ବୋଲରଙ୍କୁ ପ୍ରହାର କରିଥିଲେ। ଏହି କ୍ରମରେ ସେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ରୋହିତ ଶ୍ରେୟସ ଆୟରଙ୍କ ସହ ମିଶି ତୃତୀୟ ଓ୍ଵିକେଟ୍ ପାଇଁ ୭୭ ରନ ଯୋଡ଼ି ଦଳର ବିଜୟ ସୁନିଶ୍ଚିତ କରିଥିଲେ।

ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା ରୋହିତ ଆଉଟ୍ ହେବା ପ୍ରଶଂସକଙ୍କୁ ନିରାଶ କରିଥିଲା। ରୋହିତ ମାତ୍ର ୬୩ ବଲ୍‌ରୁ ୬ ଚୌକା ଓ ୬ ଛକା ସହ ୮୬ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ବିଜୟର ଔପଚାରିକତା ପୂରଣ କରିଥିଲେ ଶ୍ରେୟସ ଆୟର ଓ କେଏଲ ରାହୁଲ। ଶ୍ରେୟସ ସଂଯମତାର ସହ ବ୍ୟାଟିଂ କରି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଏଥିସହ ଭାରତ ୩୦.୩ ଓଭରରେ ୩ ଓ୍ଵିକେଟ୍ ହରାଇ ୧୯୨ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶ୍ରେୟସ ୫୩ ରନ ଓ କେଏଲ ରାହୁଲ୧୯ ରନ କରି ଅପରାଜିତ ଅଛନ୍ତି। ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ୨ଟି ଓ ହସନ ଅଲ୍ଲୀ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

ପାକିସ୍ତାନର ଦୁଇ ଓପନର ଅବଦୁଲ୍ଲା ଶଫିକ ଓ ଇମାମ ଉଲ ହକ ପ୍ରଥମ ଓ୍ଵିକେଟ୍‌ରେ ୪୧ ରନ ଯୋଡ଼ିଥିଲେ। ସଫିକ(୨୦)ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। କ୍ରିଜରେ ଜମି ଆସୁଥିବା ଇମାମ ଉଲ ହକ୍ ୩୬ ରନ କରି ଆଉଟ୍ ହୋଇଥିଲେ। ୭୩ ରନରେ ଦୁଇ ଓପନରଙ୍କ ଆଉଟ୍ ପରେ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜଓ୍ଵାନ ଦଳର ଇନିଂସ ସମ୍ଭାଳି ସ୍କୋରକୁ ଆଗକୁ ବଢାଇଥିଲେ। ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୮୨ ରନ ଯୋଡ଼ିଥିଲେ। ବାବର ଆଜମ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ନିଜ ଇନିଂସକୁ ଆଗକୁ ବଢାଇ ପାରି ନ ଥିଲେ। ସେ ୫୮ ବଲ୍‌ରୁ ୭ ଚୌକା ସହ ୫୦ ରନ କରିଥିଲେ।

ଏହି ଯୋଡ଼ି ଭାଙ୍ଗିବା ପରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଏକଦା ୨ ଓ୍ଵିକେଟ୍ ହରାଇ ୧୫୫ ରନ କରିଥିବା ପାକିସ୍ତାନ ୧୬ ରନରେ ୫ ଓ୍ଵିକେଟ୍ ହରାଇଥିଲା। ମହମ୍ମଦ ରିଜଓ୍ଵାନ ୪୯ ରନ କରି ବିଦାୟ ନେଇଥିଲେ। ଏହା ପରେ ପାକିସ୍ତାନର ନିମ୍ନକ୍ରମ ବ୍ୟାଟର ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନଥିଲେ। ବିଶେଷ କରି ଯଶପ୍ରୀତ ବୁମରା କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜା ଓ୍ଵିକେଟ୍ ନେବା ସହ ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ। ଶେଷରେ ପାକିସ୍ତାନ ୪୨.୪ ଓଭରରେ ୧୯୧ ରନରେ ଅଲଆଉଟ୍ ହୋଇଛି।

ଭାରତ ପକ୍ଷରୁ ବୋଲିଂରେ ଯଶପ୍ରୀତ ବୁମରା ୧୯ ରନ ଦେଇ ୨ଟି ଓ୍ଵିକେଟ୍, କୁଲଦୀପ ଯାଦବ ୧୦ ଓଭରରେ ୩୫ ରନ ଦେଇ ୨ଟି, ରବୀନ୍ଦ୍ର ଜାଡ଼େଜା ୩୮ ରନ ଦେଇ ୨ ଓ ମହମ୍ମଦ ସିରାଜ ୫୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

Related Posts