ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ୫ ଅଟକ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଝୁମ୍ପାଣ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରଯାଇଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏଥିସହ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି କଳିଙ୍ଗନଗର ପୋଲିସ।

ସୂଚନା ମୁତାବକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ୨ ଆଦିବାସୀ ଭାଇ ଭଉଣୀ ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳରେ ରହୁଥିବା ନିଜ ଭଉଣୀ ଘରକୁ ଯାଉଥିଲେ। ଗତକାଲି ଅପରାହ୍ନରେ ଏମାନେ ଡ଼ୁବୁରୀ ଛକରେ ପହଞ୍ଚିଥିଲେ। ସେଠାରୁ କାଳିଆପାଣି ଯିବାକୁ କୌଣସି ଗାଡ଼ି ନମିଳିବାରୁ ଉଭୟେ ଚାଲିଚାଲି ଯାଉଥିଲେ। କିଛିବାଟ ଯିବାପରେ ଝୁମ୍ପାଣ ନିକଟରେ ଅନ୍ଧାର ହୋଇଥିବାରୁ ରାସ୍ତା କଡ଼ରେ ଥିବା ଏକ ଯାତ୍ରୀ ବିଶ୍ରାମଗାରରେ ବସିଥିଲେ। ଏହି ସମୟରେ କେତେଜଣ ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ପଚରାଉଚରା କରିବା ସହ ନିକଟରେ ଥିବା ଝୁମ୍ପାଣ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେବାକୁ କହିଥିଲେ।

ତେବେ ଭାଇ ଭଉଣୀ ଉଭୟେ ସେଠାରେ ରହିଥିବା ବେଳେ ବିଳମ୍ବିତ ରାତିରେ କିଛି ଲୋକ ଆସି ନାବାଳକ ଭାଇକୁ ମାଡ଼ ମାରି ସେଠାରୁ ତଡ଼ି ଦେବା ସହ ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଥିଲେ। ନାବାଳକ ଭାଇ ଦୌଡ଼ି ଯାଇ ଗାଁ ଲୋକଙ୍କୁ ଡାକିଥିବା ବେଳେ ଜୀବନ ବଞ୍ଚାଇ ନାବାଳିକା ଜଣକ ଛାତରୁ ତଳକୁ ଡେ଼ଇଁ ସେଠାରୁ ଖସି ପଳାଇ ଥିଲେ। ପରେ ଗାଁ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ମେଡିକାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ଏଥିସହିତ ନାବାଳକ ଭାଇକୁ ନିଜ ହେପାଜତରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ଛାନଭିନ୍ କରୁଛି ପୋଲିସ।

Related Posts