କୁମ୍ଭୀର ଗଣନା ପାଇଁ ଜାନୁଆରି ୪ ରୁ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିରଳ ବଉଳା କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା କରାଯିବ । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟଉଦାନ ବାହାରେ ଥିବା ନଦୀ ନାଳଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଜାନୁଆରୀ ୪ ତାରିଖରୁ ୧୪ ତାରିଖ ଯାଏଁ ୧୦ ଦିନ ଧରି କୁମ୍ଭୀରମାନଙ୍କର ଗଣନା କରାଯିବ ।

୧୦ଦିନ ଧରି ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଜାନୁଆରୀ ୧୫ରେ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ଭିତରକନିକାରେ ଜାନଆରୀ ୨୦୨୨ରେ ହୋଇଥିବା ଗଣନା ଅନୁସାରେ ୧ ହଜାର ୭୮୪ ବଉଳାକୁମ୍ଭୀର ଅଛନ୍ତି ।

ସୂଚନାଯୋଗ୍ୟ ଯେ, ୧୯୭୦ ମସିହା ମଧ୍ୟଭାଗରେ କରାଯାଇଥିବା ଏକ ସର୍ଭରେ ଭାରତବର୍ଷରେ କୁମ୍ଭୀରମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡ଼ିଥିଲା । ଏହାପରେ କୁମ୍ଭୀରମାନଙ୍କର ବଂଶବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡଃ. ଏଚ୍‌.ଆର୍‌ ବଷ୍ଟାର୍ଡ ଓଡ଼ିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ । ୧୯୭୫ ମସିହାରେ ୧୧୫ ବର୍ଗ କିଲୋମିଟର ଅଞ୍ଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢ଼ିଉଠିଥିଲା । ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା । ଏବେ ଏହି ସଂଖ୍ୟା ୧ହଜାର ୭୮୪ରେ ପହଞ୍ଚିଛି ।

Related Posts