
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭିତରକନିକାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ୨୦୨୦ ମସିହାରେ ପ୍ରଥମଥର ପାଇଁ ଭିତରକନିକାର ନଳିତାପାଟିଆ ଠାରେ ଇକୋ-ରିଟ୍ରିଟ୍ ଆୟୋଜନ କରାଯାଇଥିଲା। ଦୀର୍ଘ ୮୨ଦିନ ଧରି ଏଠାରେ ସଫଳତାର ସହ ଆୟୋଜନ ହୋଇଥିବାରୁ ଚଳିତ ବର୍ଷ କିପରି ଅଧିକ ପର୍ଯ୍ୟଟକ ଆସିବେ ଏବଂ ସକରାତ୍ମକ ଓ ନିଆରା ଅନୁଭୂତି ନେଇ ଫେରିବେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତବର୍ଷ ନଳିତାପାଟିଆ ପରିବର୍ତ୍ତେ ପେଣ୍ଠ ବେଳାଭୂମିରେ ଇକୋ-ରିଟ୍ରିଟ୍ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ମଧ୍ୟ ପେଣ୍ଠ ବେଳାଭୂମିରେ ଭିତରକନିକା ଇକୋ-ରିଟ୍ରିଟ୍ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି।
ଏନେଇ ଗତକାଲି ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଉପ-ଜିଲ୍ଲାପାଳ ନିରଂଜନ ବେହେରା, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ନଟବର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଦେବାଶିଷ ସାମଲ, ତଟବନ୍ଧ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ଭଞ୍ଜ ପ୍ରସାଦ ରାଉତ, ବିଡିଓ ରବୀନ୍ଦ୍ର ପ୍ରଧାନ, ତହସିଲଦାର ଅଶ୍ବିନୀ ଭୂୟାଁଙ୍କ ସହିତ ପାନୀୟଜଳ ବିଭାଗ ଓ ବିଦ୍ୟୁତ୍ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଦୋବନ୍ଧି ଠାରୁ ପେଣ୍ଠ ମଧ୍ୟରେ ପ୍ରାୟ ୧୮ଶହ ମିଟର ଅଞ୍ଚଳରେ ଗତବର୍ଷ ଇକୋ-ରିଟ୍ରିଟ୍ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଆଉ ୩ଶହ ଫୁଟ୍ ଅଧିକ ଜାଗାରେ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଟେଣ୍ଟ୍ ଭିତରେ ରହି ପର୍ଯ୍ୟଟକମାନେ ଯେପରି ସମୁଦ୍ରର ଶୋଭା ଉପଭୋଗ କରିବେ, ସେ ନେଇ ବ୍ୟବସ୍ଥା କରାଯିବ। ଦିନବେଳା ଭିତରକନିକା ପରିଦର୍ଶନରେ ଯିବେ। ରାତିରେ ବେଳାଭୂମିର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବେ।
ବେଳାଭୂମିରେ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ଖେଳର ବ୍ୟବସ୍ଥା କରାଯିବ। ବିଦ୍ୟୁତ୍ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ବସାଯିବ। ବାତ୍ୟା ଆଶ୍ରୟସ୍ଥଳୀ ଠାରୁ ଇକୋ-ରିଟ୍ରିଟ୍ସ୍ଥଳ ଯାଏଁ ଷ୍ଟ୍ରିଟ୍ ଲାଇଟ୍ ଲାଗିବ। ଲୁଣା ଘେରିବନ୍ଧରୁ ବେଳାଭୂମିକୁ ଖସିବା ଏବଂ ଇକୋ-ରିଟ୍ରିଟ୍ସ୍ଥଳ ଯାଏଁ ପୂର୍ତ୍ତବିଭାଗ ପକ୍ଷରୁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ। ଛୋଟ ଗାଡ଼ି ଓ ବଡ଼ଗାଡ଼ି ରହିବା ପାଇଁ ପାର୍କିଂର ବ୍ୟବସ୍ଥା ରହିବ। ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ରୂପରେଖ ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି। ପେଣ୍ଠ ବେଳାଭୂମିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲେ ଇକୋ-ରିଟ୍ରିଟ୍ ରହଣି ପର୍ଯ୍ୟଟକଙ୍କ ବାଦ୍ ଅନ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ସେଥିପାଇଁ ନଳିତାପାଟିଆ ପରିବର୍ତ୍ତେ ପେଣ୍ଠ ଠାରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।