କ୍ରୀଡା ମନ୍ତ୍ରଣାଳୟର ନିର୍ଦ୍ଦେଶ; କୁସ୍ତି ସଂଘ ଚଳାଇବ ଅଲିମ୍ପିକ ସଂଘ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିକଟରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ରେ ଯୌନ ନିର୍ଯାତନା ଅଭିଯୋଗର ସମ୍ମୁଖୀନ ହୋଇଥିବା ବିଜେପି ସାଂସଦ ବ୍ରଜଭୂଷଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ସଭାପତି ହେବା ପରେ ବିବାଦ ବଢ଼ିବାରେ ଲାଗିଛି। କୁସ୍ତିଯୋଦ୍ଧାମାନେ ଗୋଟିଏ ପରେ ଗୋଟିଏ ପ୍ରତିବାଦ କରୁଛନ୍ତି। ଏଭଳି ସ୍ଥିତିରେ କ୍ରୀଡ଼ା ମନ୍ତ୍ରଣାଳୟ ଡିସେମ୍ବର ୨୪ରେ ଏକ ବଡ଼ ନିଷ୍ପତ୍ତି ନେଇ ନୂଆ ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବିତ କରିଛି। କେନ୍ଦ୍ର ସରକାର ଭାରତୀୟ ଅଲିମ୍ପିକ ସଂଘକୁ କୁସ୍ତି ସଂଘ ପରିଚାଳନା ପାଇଁ ଏକ ପ୍ୟାନେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ଗତ ୧୧ ମାସ ଧରି ବିବାଦ ଘେରରେ ରହିଛି। ଚଳିତ ବର୍ଷ ଜାନୁଆରିରେ ସାକ୍ଷୀ ମଲିକ, ଭିନେଶ ଫୋଗାଟଙ୍କ ସମେତ ଅନେକ ମହିଳା କୁସ୍ତିଯୋଦ୍ଧା ତତ୍କାଳୀନ ଡବ୍ଲ୍ୟୁଏଫ୍ଆଇ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଯାହା ପରେ ବଜରଙ୍ଗ ପୁନିଆଙ୍କ ସମେତ ଅନେକ ପୁରୁଷ କୁସ୍ତିଯୋଦ୍ଧା ମଧ୍ୟ ସେମାନଙ୍କୁ ସମର୍ଥନ କରିଥିଲେ। ଏହା ପରେ କ୍ରୀଡ଼ା ମନ୍ତ୍ରଣାଳୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲା ।

ଇତିମଧ୍ୟରେ ୩ ଦିନ ତଳେ ଅର୍ଥାତ୍ ଡିସେମ୍ବର ୨୧ତାରିଖରେ ଡବ୍ଲ୍ୟୁଏଫ୍ଆଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବ୍ରଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ନୂଆ ମୁଖ୍ୟ ନିର୍ବାଚିତ ହୋଇଥିଲେ। କୁସ୍ତିଯୋଦ୍ଧାମାନେ ଏହାକୁ ତୀବ୍ର ବିରୋଧ କରିବା ସହ କେତେକ ନିଜର ପଦ୍ମଶ୍ରୀ ପୁରସ୍କାର ଫେରସ୍ତ କରିଥିଲେ। ଏହି ବିବାଦ ପରେ ରବିବାର କ୍ରୀଡ଼ା ମନ୍ତ୍ରଣାଳୟ କୁସ୍ତି ସଂଘକୁ ନିଲମ୍ବିତ କରିଛି ।

Related Posts